Latest Odisha News

BREAKING NEWS

ନିରବିଗଲେ ବରିଷ୍ଠ ଓଡ଼ିଆ ଗାୟକ ଶ୍ରୀକାନ୍ତ ଦାସ

କଟକ: ଆରପାରିରେ ବରିଷ୍ଠ ଓଡ଼ିଆ ଗାୟକ ଶ୍ରୀକାନ୍ତ ଦାସ । ଶନିବାର ରାତିରେ କଟକର ଶେଖ୍ ବଜାର ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ବାର୍ଦ୍ଧ୍ୟକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଆଜି ସତୀଚଉରା ଠାରେ ତାଙ୍କର ଶେଷକୃତ୍ୟ ହେବ ବୋଲି ଜଣାପଡିଛି ।

ଶେଷଶଯ୍ୟା ନିକଟରେ ପୁଅ ଗୁରୁପଦ ଦାସ, ବୋହୂ ନିବେଦିତା ଦାସ, ଝିଅ ଭକ୍ତିଲତା ଦାସ, ଜ୍ୱାଇଁ ସାନସିନ୍ ରାଉଳ, ନାତି ଓ ନାତୁଣୀ ଉପସ୍ଥିତ ଥିଲେ ।

ବାଟ ଛାଡ଼ ଆସୁଛି ଦଶରା ବଜାର ମେଢ଼….ଲୋ ଲବିନା ଟିକେ ପଛକୁ ଅନା, ଆକାଶର ବୁକୁ ଚିରି…. ଗାଡ଼ି ଗଡ଼ି ଗଡ଼ିଯା….ଘଟଗାଁ, ଗୋଡ଼ ଯୋଡ଼ିକ ଥାଇ ବୋଇଲେ…ସତ ମୋ’ବଚନ, କଅଁଳ କଅଁଳ କଦଳୀ ପତର…ଏ ନଖିନାନୀ ପୁଅ ଭଗିଆ ଭଳି ଲୋକପ୍ରିୟ ଗୀତ ଗାଇଥିଲେ ଶ୍ରୀକାନ୍ତ ଦାସ ।

୭୦ ଦଶକରେ ଅକ୍ଷୟ ମହାନ୍ତି, ତାଙ୍କୁ ପ୍ରଥମେ ଗୀତ ଦୁନିଆଁରେ ହାତଧରି ଆଣି ଠିଆକରାଇଥିଲେ । ପ୍ରଥମେ ପ୍ରଥମେ ଆକାଶବାଣୀ,ଓ ପରେପରେ ଚଳଚ୍ଚିତ୍ରରେ ତାଙ୍କ ସୁଲଳିତ କଣ୍ଠରେ ଅନେକ ଗୀତ, ଓଡ଼ିଆଙ୍କୁ ଭେଟି କରିଥିଲେ ।

ଶ୍ରୀକାନ୍ତ ଦାସଙ୍କ ପୈତୃକ ଘର ପଟ୍ଟାମୁଣ୍ଡାଇ ପାଖ “ମାଟିଆ”ରେ । ଶ୍ରୀକାନ୍ତ ଦାସ, ବି.ଏ. ପାସ କଲାପରେ କିଛିଦିନ ସଙ୍ଗୀତ ଶିକ୍ଷା କରିଥିଲେହେଁ, ୟୁକୋ ବ୍ୟାଙ୍କରେ ଚାକିରୀ ଆରମ୍ଭ କରିଥିଲେ । ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ, ଶ୍ରୀକାନ୍ତ ଦାସ, ନିଜ କର୍ମକ୍ଷେତ୍ରକୁ ପ୍ରାଧାନ୍ୟ ଦେଇ , ଗୀତ ଓ ସଙ୍ଗୀତ ଦୁନିଆଁରୁ ଦୂରେଇ ରହିଥିଲେ । ହେଲେ କର୍ମମୟ ଜୀବନରୁ ସମୟ ପାଇଲେ ସେ ଗୀତ ଗାଉଥିଲେ ।

Comments are closed.