ନୂଆଦିଲ୍ଲୀ: ଜନସଂଖ୍ୟାକୁ ନେଇ ମୋହନ ଭାଗବତଙ୍କ ମନ୍ତ୍ର । ଆମେ ଦୁଇ ଆମର ଦୁଇ ନୁହେଁ ଏଥର ଆମର ତିନି ! ଜନସଂଖ୍ୟାକୁ ନେଇ ଆରଏସଏସ ମୁଖ୍ୟଙ୍କ ବୟାନକୁ ନେଇ ବଢିଲା ରାଜନୀତି । ସଂଘ ମୁଖ୍ୟଙ୍କ ଥିଓରୀକୁ ବିରୋଧୀଙ୍କ ସମାଲୋଚନା । ଗତ ରବିବାର ନାଗପୁରରେ ଏକ କାର୍ଯ୍ୟକ୍ରମରେ ଦେଶର ଜନସଂଖ୍ୟା ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଭାଗବତ । ଏଥିସହ କୌଣସି ସମାଜରେ ପ୍ରଜନନ ହାର୨.୧ ହେବା ଉଚିତ୍ । ଏହା ତଳକୁ ଖସିଲେ ସମାଜ ପୃଥିବୀରୁ ନିଶ୍ଚିହ୍ନ ହୋଇଯିବ ବୋଲି ସଂଘ ମୁଖ୍ୟ କହିଥିଲେ । ତାଙ୍କର ଏଭଳି ବୟାନକୁ କଂଗ୍ରେସ ଦ୍ବନ୍ଦ୍ବାତ୍ମକ କହିଛି ତ ସନ୍ତାନ ଜନ୍ମ ନେଇ କୌଣସି ସ୍କିମ ବାହାର କରିବେ କି ପ୍ରଶ୍ନ କରିଛନ୍ତି ଏଆଇଏମଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓବେସି ।
ଆମେ ଦୁଇ ଆମର ତିନି !
ସଂଘ ମୁଖ୍ୟ ମୋହନ ଭାଗବତଙ୍କ ମତରେ ଭାରତର ଜନସଂଖ୍ୟା କମିଗଲାଣି । ସମାଜ ଓ ସଭ୍ୟତା ନିଶ୍ଟିହ୍ନ ହେବାକୁ ବସିଲାଣି । ତେଣୁ ପ୍ରତି ଦମ୍ପତି ଅତିକମରେ ୩ଟି ସନ୍ତାନ ଜନ୍ମ କରିବାକୁ ସେ ଅପିଲ୍ କରିଛନ୍ତି । ଦେଶର ଜନସଂଖ୍ୟା ନୀତି ଅନେକ ପୂର୍ବରୁ ସ୍ଥିର କରାଯାଇଥିଲା । ଏବେ ସ୍ଥିତି ବଦଳିଛି । ତେଣୁ ସମାଜ ରହିବାକୁ ହେଲେ ଦୁଇରୁ ଅଧିକ ଓ ଅତିକମରେ ତିନି ସନ୍ତାନ ଜନ୍ମ କରିବାକୁ ହେବ ବୋଲି ମୋହନ ଭାଗବତ କହିଛନ୍ତି । ପୂର୍ବରୁ ମଧ୍ୟ ଜନସଂଖ୍ୟା ନୀତିକୁ ନେଇ ଅନେକ ଥର ମନ୍ତବ୍ୟ ଦେଇଛନ୍ତି ଭାଗବତ । ୨୦୨୧ରେ ଜନସଂଖ୍ୟା ଅସନ୍ତୁଳନକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଭାଗବତ । ୨୦୨୨ରେ ପ୍ରଜନନ ହାର ୨.୧ପ୍ରତିଶତ ତଳକୁ ଖସିବାକୁ ବିପଜ୍ଜନକ କହିଥିଲେ ।
ଭାଗବତଙ୍କ ଥିଓରୀ…ବିରୋଧୀଙ୍କ ସମାଲୋଚନା
ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଜନସଂଖ୍ୟା ଥିଓରୀକୁ ସମାଲୋଚନା କରିଛନ୍ତି ବିରୋଧୀ । ଏଆଇଏମଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓବେସି ପଚାରିଛନ୍ତି, ଜନସଂଖ୍ୟା ବୃଦ୍ଧିକୁ ନେଇ କୌଣସି ନୂଆ ସ୍କିମ ଆଣିବେ କି ଭାଗବତ? ଅଧିକ ସନ୍ତାନ ଜନ୍ମ କଲେ ଦମ୍ପତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ଶହ ଟଙ୍କା ଲେଖାଏଁ ଦେବେ କି ? ସେପଟେ କଂଗ୍ରେସ ଏବେକାର ମହଙ୍ଗା ଯୁଗରେ ଅଧିକ ସନ୍ତାନ ଜନ୍ମକୁ ନେଇ ସମାଲୋଚନା କରିଛି । ଖାଦ୍ୟ ସାମଗ୍ରୀ ଦର ବଢିଚାଲିଛି, ପିଲା ବଡ ହେଲେ ନିଯୁକ୍ତି ବି ମିଳିବନି । ଏଭଳି ସ୍ଥିତିରେ କାହିଁକି ଲୋକେ ଅଧିକ ସନ୍ତାନ ଜନ୍ମ କରିବେ ବୋଲି କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ପ୍ରଶ୍ନ କରିଛନ୍ତି । ସେପଟେ ବିଜେପି ନେତା ଜନସଂଖ୍ୟା ନିୟନ୍ତ୍ରଣ କଥା କହୁଥିବା ବେଳେ ଆରଏସଏସ ମୁଖ୍ୟ ଜନସଂଖ୍ୟା ବଢାଇବାକୁ କହୁଛନ୍ତି । ଉଭୟ ଆରଏସଏସ ଓ ବିଜେପି ପ୍ରଥମେ ଆଲୋଚନା କରି ସ୍ଥିର କରନ୍ତୁ ବୋଲି ଆରଜେଡି କହିଛି । ବିଜେପି ନେତା ପ୍ରସଙ୍ଗରେ ମାପିଚୁପି ବୟାନ ଦେଇଛନ୍ତି ତ ସହଯୋଗୀ ଜେଡିୟୁ ଏହାକୁ ସମାଲୋଚନା କରିଛି ।
ନାଇଡୁ, ଷ୍ଟାଲିନ ବି ଦେଇଥିଲେ ଜୋର
ମୋହନ ଭାଗବତଙ୍କ ପୂର୍ବରୁ ଅଧିକ ସନ୍ତାନ ଜନ୍ମ କରିବାକୁ ଅପିଲ କରି ଚର୍ଚ୍ଚାରେ ଥିଲେ ଦକ୍ଷିଣ ଭାରତର ଦୁଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଏମକେ ଷ୍ଟାଲିନ। ଆନ୍ଧ୍ରପ୍ରଦେଶରେ ବୟସ୍କଙ୍କ ସଂଖ୍ୟା ବଢୁଥିବା ବେଳେ ଜାତୀୟଠାରୁ ଆନ୍ଧ୍ରରେ ପ୍ରଜନନ ହାର କମ୍ ରହିଛି । ୨୦୪୭ସୁଦ୍ଧା ବୟସ୍କଙ୍କ ସଂଖ୍ୟା ବହୁତ ହେବ । ତେଣୁ ଦୁଇରୁ ଅଧିକ ସନ୍ତାନ ଥିଲେ ହିଁ ନିର୍ବାଚନ ଲଢିବା ଭଳି ନିୟମ ସରକାର ଖୁବ୍ ଶୀଘ୍ର ନିୟମ ଆଣିବେ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଥିଲେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଆଉ ଦୁଇ ପାଦ ଆଗକୁ ଯାଇଥିଲେ । ନବବିବାହିତଙ୍କୁ ୧୬ଟି ସନ୍ତାନ ଜନ୍ମ କରିବାକୁ ସେ ଅପିଲ୍ କରିଥିଲେ । ଜନସଂଖ୍ୟା କମୁଛି, ଏହାର ପ୍ରଭାବ ଲୋକସଭା ସିଟ୍ ଉପରେ ପଡିବ । ତେଣୁ ୧୬ଟି ଲେଖାଏଁ ସନ୍ତାନ ଜନ୍ମ କରିବାକୁ କହିଥିଲେ ଷ୍ଟାଲିନ ।
ଗତବର୍ଷ ଏପ୍ରିଲରେ ଜନସଂଖ୍ୟାରେ ଭାରତ ଚୀନକୁ ପଛରେ ପକାଇ ବିଶ୍ବରେ ଏକ ନମ୍ବର ସ୍ଥାନ ଅକ୍ତିଆର କରିଥିବା ଜାତିସଂଘ ତା ରିପୋର୍ଟରେ କହିଥିଲା। ରିପୋର୍ଟରେ ସେତେବେଳେ ଚୀନର ଜନସଂଖ୍ୟା ୧୪୨କୋଟି ୫୭ଲକ୍ଷ ଥିବା ବେଳେ ଭାରତର ଲୋକସଂଖ୍ୟା ଥିଲା ୧୪୨କୋଟି ୮୬ଲକ୍ଷ ଥିବା ଦର୍ଶାଯାଇଥିଲା । ଦେଶରେ ୨୦୧୧ପରଠୁ ଜନଗଣନା ହୋଇନି । ତେବେ ଏଭଳି ସ୍ଥିତିରେ ମୋହନ ଭାଗବତଙ୍କ ବୟାନକୁ ନେଇ ଚର୍ଚ୍ଚା ବଢିଛି ।