ଭୁବନେଶ୍ବର : ମହାନଦୀରେ ଆସୁଛି ବନ୍ୟା । ହୀରାକୁଦରୁ ବନ୍ୟା ଛଡାଯିବା ପରେ ଫୁଲୁଛି ମହାନଦୀ । ଆସନ୍ତାକାଲି ମୁଣ୍ଡଳି ଓ ନରାଜରୁ ଅଧିକ ପାଣି ମହାନଦୀର ତଳି ଅଞ୍ଚଳକୁ ଛଡାଯିବ । ଫଳରେ ତଳିଆ ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି । ଏଥିପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, ହୀରାକୁଦ ଡ୍ୟାମର ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ତୀକ୍ଷଣ ନଜର ରଖିଛନ୍ତି । ଶନିବାର ସକାଳ ବେଳକୁ ମୁଣ୍ଡଳି ପାଖରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।
ମହାନଦୀରେ ବନ୍ୟା ପରିସ୍ଥିତି ଓ ବନ୍ୟାଜଳ ନିଷ୍କାସନ ନେଇ ଆଜି ମୁଣ୍ଡୁଳି ଓ ନରାଜରେ ସ୍ଥିତିର ସମୀକ୍ଷା କରିଛନ୍ତି ଜଳସମ୍ପଦ ସଚିବ ଅନୁ ଗର୍ଗ । ତାଙ୍କ ସହ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ଓ ଅନ୍ୟ ବରିଷ୍ଠ ଅଧିକାରୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ମହାନଦୀରେ ବନ୍ୟାଜଳ ବିପଦ ସଂକେତ ତଳେ ରହିଛି । ସେହିପରି ବୈତରଣୀ ସାମାନ୍ୟ ବିପଦ ସଙ୍କେତ ଉପରେ ରହିଛି । ଶନିବାର ସନ୍ଧ୍ୟା କିମ୍ବା ରାତି ବେଳକୁ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ନଦୀରେ ବନ୍ୟା ଆସିବ । ଜିଲ୍ଲା ପ୍ରଶାସନକୁ ସ୍ବଳ୍ପ, ମଧ୍ୟମ ଧରଣର ବନ୍ୟା ନେଇ ସତର୍କ କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ଉପକୂଳ ଜିଲ୍ଲାରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ୩୦ଟି ଓଡ୍ରାଫ୍ ଟିମ୍, ୧୨ଟି ଏନଡିଆରଏଫ୍ ଟିମ୍ ସହ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି ।
Comments are closed.