ଭୁବନେଶ୍ୱର: ଲକ୍ଡାଉନ୍ରେ ପ୍ରଭାବିତ ହୋଇଥିଲା ସମଗ୍ର ବିଶ୍ୱ । ଏଥିରେ ଭାରତ ବା ବାଦ୍ ପଡିବ କିପରି ? ଏହାର ଚିତ୍ର ଏବେ ବି ପ୍ରତିଦିନ ପ୍ରତି ମୁହୁର୍ତ୍ତ୍ୱରେ ସାମ୍ନାକୁ ଆସୁଛି । ତେବେ ଏପରି ପରିସ୍ଥିତିରେ କିପରି ରହିଛି ଏସିୟାର ସବୁଠୁ ବଡ ରେଡ୍ ଲାଇଟ୍ ଅଂଚଳ ସୋନାଗାଚ୍ଛିିର ସ୍ଥିତି ? କେମିତି ବଂଚୁଛନ୍ତି ସେଠିକାର ଦେହଜୀବୀ ? କେଉଁଠୁ ଆଣୁଛନ୍ତି ଟଙ୍କା ?
ଆଣ୍ଟି ହ୍ୟୁମାନ୍ ଟ୍ରାଫିକିଂ ଅର୍ଗାନାଇଜେସନର ସର୍ଭେ ରିପୋର୍ଟ ଅନୁଯାୟୀ କରୋନା ମହାମାରୀ ପରଠୁ ୮୯ ପ୍ରତିଶିତ ଦେହଜୀବୀ ଋଣ ଜାଲରେ ଛନ୍ଦି ହୋଇପଡିଛନ୍ତି । ଲକ୍ଡାଉନ୍ ସମୟରେ ବ୍ୟବସାୟ ବନ୍ଦ ଥିବାରୁ ସମସ୍ତେ ଧାରଉଧାର କରି ଗୁଜରାଣ ମେଣ୍ଟାଇଥିଲେ ।
ସେହିଭଳି ୭୩ ପ୍ରତିଶତ ମହିଳା ଦେହ ବ୍ୟବସାୟଠୁ ଦୂରେଇ ଅନ୍ୟ ଉପାୟରେ ଜୀବିକା ନିର୍ବାହ କରିବାକୁ ଚାହୁଁଛନ୍ତି । ହେଲେ ବେସରକାରୀ ସଙ୍ଗଠନ, ସୁଧ ବେପାରୀ, ବେଶ୍ୟାଳୟ ମାଲିକ ଓ ଦଲାଲଙ୍କଠାରୁ ଟଙ୍କା ଧାର ସ୍ୱରୂପ ନେଇଥିବାରୁ ତାହା ସମ୍ଭବ ହୋଇପାରୁନି ।
ଆକଳନ ଅନୁଯାୟୀ ସୋନାଗାଚ୍ଛି ଏବେ ୭ହଜାର ଦେହଜୀବୀଙ୍କ ଘର ପାଲଟିଛି । ଚଳିତବର୍ଷ ମାର୍ଚ୍ଚ ମାସଠାରୁ ସେମାନଙ୍କ ବ୍ୟବସାୟ କରୋନା ପାଇଁ ଠପ୍ ପଡିଥିଲା । ହେଲେ ଜୁଲାଇ ମାସରୁ ମାତ୍ର ୬୫ପ୍ରତିଶତ ବ୍ୟବସାୟ ପୁଣିଥରେ ସକ୍ରିୟ ହୋଇଛି ।
ଅତ୍ୟଧିକ ଋଣର ଭାର ସେମାନଙ୍କ ଗୋଡରେ ଶିକୁଳି ପକାଇଛି । ଲକ୍ଡାଉନ୍ ଉଠିଥିଲେ ବି କରୋନା ସଂକ୍ରମଣର ଆଶଙ୍କା ଦେହଜୀବୀ ଓ ଗରାଖଙ୍କୁ କୋକୁଆ ଭୟର ଅନୁଭୂତି ଦେଇଛି । ନା ଆସୁଛନ୍ତି ଗରାଖ ନା ହେଉଛି ବ୍ୟବସାୟ । ଏପରି ସ୍ଥିତିରେ ସେମାନଙ୍କୁ କେବଳ ସରକାରଙ୍କ ତରଫରୁ ସହାୟତା ହିଁ ଏକମାତ୍ର ଭରଷା ।
ଲକ୍ଡାଉନ୍ ପ୍ରକ୍ରିୟା ଆରମ୍ଭ ହେବା ପରଠୁ ଦେହଜୀବୀମାନେ ସାଂଘାତିକ ଅର୍ଥାଭାବ ସମସ୍ୟା ଦେଇ ଗତି କରୁଛନ୍ତି । ସୋନାଗାଚ୍ଛି ଖୋଲିଥିଲେ ବି ପୂର୍ବପରି ଏଠାରେ ଗରାଖଙ୍କ ଭିଡ ଜମୁନି । ଦେହଜିବୀଙ୍କ ପାଇଁ ଏକ କୋପରେଟିଭ ବ୍ୟାଙ୍କ ଥିଲେ ବି ସେମାନଙ୍କୁ ଏଥିରେ କୌଣସି ଆଗ୍ରହ ନାହିଁ । ବରଂ ବିନା କାଗଜପତ୍ରରେ ଦଲାଲ ଓ ସୁଧ ବେପାରୀଙ୍କଠାରୁ ଟଙ୍କା ଧାର ନେବାକୁ ସେମାନେ ଉଚିତ୍ ମଣୁଛନ୍ତି ।
ଏହି ସ୍ଥିତିକୁ ନେଇ ଆଣ୍ଟି ହ୍ୟୁମାନ୍ ଟ୍ରାଫିକିଂ ଅର୍ଗାନାଇଜେସନ୍ କୋଲକାତା ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶଶୀ ପାଂଜାଙ୍କୁ ଯୋଗାଯୋଗ କରିଥିଲା । ହେଲେ ଏହି ପରିସ୍ଥିତି ବିଷୟରେ ସେ କିଛି ଜାଣିନଥିବା କହିଥିଲେ । ବରଂ ଲକ୍ଡାଉନ୍ ସମୟରେ ସମସ୍ତଙ୍କୁ ରିଲିଫ ମିଳିଥିବା ନେଇ ସେ ଦାବି କରିଥିଲେ ।
ଏକାଧିକ ଏନଜିଓର ପ୍ରସ୍ତାବ ଅନୁଯାୟୀ ସୋନାଗାଚ୍ଛିର ଦେହଜୀବୀଙ୍କର ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ କରୋନା ରିଲିଫ ଯୋଜନା ଅଧୀନରେ ରଖାଯାଉ । ନୂତନ ଭାବେ ଜୀବିକା ନିର୍ବାହ କରିବା ପାଇଁ ସହାୟତା ଓ ସହଯୋଗ ମିଳୁ । ଏପରିକି ଦେହ ବ୍ୟବସାୟକୁ ବାଦ୍ ଦେଇ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଆର୍ଥିକ ପ୍ରୋତ୍ସାହନ ଦିଆଗଲେ, ସେମାନଙ୍କ ଅବସ୍ଥାରେ ସୁଧାର ଆସିପାରିବ ।
Comments are closed.