Latest Odisha News

ଗରିବୀରୁ ମୁକ୍ତି ପାଉଛି ଦେଶ, ୨୧ ରୁ ଖସି ୮.୫ ପ୍ରତିଶତରେ ପହଞ୍ଚିଛି ଦାରିଦ୍ର୍ୟତା

ନୂଆଦିଲ୍ଲୀ: ଗରିବୀ ନାମକ ରାକ୍ଷାସ କବଳରୁ ମୁକ୍ତି ପାଉଛି ଦେଶ । ବିଗତ କିଛି ବର୍ଷ ଭିତରେ ଦେଶରେ ଦାରିଦ୍ର୍ୟ ଦୂରୀକରଣରେ ବଡ଼ ଧରଣର ସଫଳତା ମିଳିଛି। ୨୦୧୧-୧୨ରେ ଯାହାର ହାର ୨୧ ପ୍ରତିଶତ ଥିଲା ଏବେ ୨୦୨୨-୨୪ ଗଣନାରେ ୮.୫ ପ୍ରତିଶତରେ ପହଞ୍ଚିଛି ।

ତେବେ ଭାରତୀୟ ମାନବ ବିକାଶ ସର୍ବେକ୍ଷଣ(ଆଇଏଚଡିଏସ)ର ଅନୁସନ୍ଧାନ ଉପରେ ଆଧାରିତ ଏହି ସର୍ଭେ ତେନ୍ଦୁଲକର କମିଟି ଦ୍ବାରା ପ୍ରତିଷ୍ଠିତ କରାଯାଇଥିବା ମୁଦ୍ରାସ୍ଫୀତି ଓ ଦାରିଦ୍ର୍ୟ ସୀମାରେଖାକୁ ବ୍ୟବହାର କରି କରାଯାଇଛି । ଯେଉଁଥିରେ ବର୍ତ୍ତମାନ ଦେଶରେ ୮.୫ ପ୍ରତିଶତ ଗରିବୀ ଥିବାର ଦର୍ଶାଯାଇଛି । ଏଥିମଧ୍ୟରୁ ୩.୨ ପ୍ରତିଶତ ଜନ୍ମରୁ ଗରିବ ହୋଇଥିବା ବେଳେ ୫.୩ ପ୍ରତିଶତଙ୍କୁ ସମୟ ସହିତ ଗରିବୀରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଆଇଏଚଡିଏସର ରିପୋର୍ଟରେ ଦର୍ଶାଯାଇଥିବା ଏହି ହ୍ରାସ କ୍ରମରେ ଆର୍ଥିକ ବର୍ଷ ୨୦୦୪-୨୦୦୫ ଏବଂ ୨୦୧୧-୧୨ ମଧ୍ୟରେ ଦାରିଦ୍ର୍ୟତାରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଥିଲା । ଦାରିଦ୍ର୍ୟ ହାର ଏହି ସମୟରେ ୩୮.୬ରୁ ୨୧.୨ ପ୍ରତିଶତକୁ ଖସି ଆସିଥିଲା ।

ସେପଟେ ଟାଇମ୍ସ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଏନସିଏଇଆରର ସୋନାଲଡେ ଦେଶାଇଙ୍କ ଦ୍ୱାରା ଲିଖିତ ‘ଏକ ପରିବର୍ତ୍ତନଶୀଳ ସମାଜରେ ସାମାଜିକ ନିରାପତ୍ତା ବନ୍ଧନ ବିଷୟରେ ପୁନର୍ବିଚାର କରିବା’ ଶୀର୍ଷକରେ ଭାରତ ମାନବ ବିକାଶ ସର୍ବେକ୍ଷଣର ନୂତନ ଓ୍ବେଭ୍ ୩ର ତଥ୍ୟ ବ୍ୟବହାର କରାଯାଇଥିଲା । ଯେଉଁଥିରେ ଗ୍ରାମୀଣ ଦାରିଦ୍ର୍ୟ ହାର ୨୦୧୧- ୧୨ରେ ୨୪.୮ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଅର୍ଥାତ୍ ୨୦୨୨- ୨୪ ସର୍ଭେରେ ଏହା ୮.୬ ପ୍ରତିଶତକୁ ଖସିଥିବା ବେଳେ ସହରାଞ୍ଚଳରେ ସେହି ହାର ୧୩.୪ ପ୍ରତିଶତ ରୁ ୮.୪ ପ୍ରତିଶତକୁ ହ୍ରାସ ପାଇଛି।

ତେବେ ଏହି ଆକଳନ ଏସବିଆଇ ରିସର୍ଚ୍ଚଠାରୁ ଟିକେ ଅଧିକ ରହିଛି । ଏସବିଆଇର ରିପୋର୍ଟ ଅନୁଯାୟୀ, ଗାଁରେ ଏହା ୭.୨ ପ୍ରତିଶତ ଦାରିଦ୍ର୍ୟତା ଥିବା ବେଳେ ସହରାଞ୍ଚଳରେ ଦାରିଦ୍ର୍ୟତା ୪.୬ ପ୍ରତିଶତ ରହିଛି ।

ତେବେ ସବୁଠୁ ବଡ କଥା ହେଉଛି ବିଗତ ବର୍ଷମାନଙ୍କରେ କୋଭିଡ୍ ବଡ ଚ୍ୟାଲେଞ୍ଚ ହୋଇ ମଧ୍ୟ ଦାରିଦ୍ର୍ୟତାରୁ ଏତେ ବଡ ଧରଣର ସଫଳତା ମିଳିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.