ରାୟଗଡା; ଅସହ୍ୟ କଲା ଦାରିଦ୍ରତା l ନିଜର ନବଜାତ ଶିଶୁ କନ୍ୟାକୁ ବିକ୍ରି କଲା ମାଆ। ୯ ଦିନର ଶିଶୁକୁ ମାତ୍ର ୨୦ ହଜାର ଟଙ୍କାରେ ବିକ୍ରି କରିଦେଲା ମା’। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ।
ସୂଚନା ଅନୁସାରେ, ରାୟଗଡା ଜିଲ୍ଲା ଜେକେପୁର ଚାନ୍ଦିଲି ଥାନା ନୂଆପଡା ସାହିର ରାହୁଲ ଧାନବାଡି ଓ କୁମୁଦ ଗାଣ୍ଡାଙ୍କ ଗତ ନଭେମ୍ୱର ୩ ତାରିଖରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା l କିନ୍ତୁ ଲାଳନ ପାଳନ କରିବାକୁ ଅକ୍ଷମ ହେବାରୁ ନିଜର ୯ ଦିନର ଶିଶୁକନ୍ୟାକୁ ମାତ୍ର ୨୦ ହଜାର ଟଙ୍କାରେ ଆନ୍ଧ୍ର ପ୍ରଦେଶର ପାରବତ୍ତିପୁରମ ଜିଲ୍ଲା ପେଦାପେଙ୍କି ଗାଁର କୋପାଲା ରାଜଶେଖରଙ୍କୁ ବିକ୍ରି କରିଦେଇଥିଲେ ବାପା-ମା l ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଟିମ୍ ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ନୂଆପଡା ବସ୍ତିରେ ପହଞ୍ଚି ଶିଶୁର ମା’ବାପାଙ୍କୁ ପଚରାଉଚରା କରି ଫେରିଥିଲା। ଆଜି ଏନେଇ ରାୟଗଡା ନୋଟାରୀ ନିକଟରେ ଏକ ଆଫିଡେଭିଟ୍ କରାଯାଇଛି । ଘଟଣାର ଖବର ପାଇ ଗାଁରେ ପହଞ୍ଚିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା କର୍ମକର୍ତ୍ତା ।
ଅନ୍ୟପଟେ ଉକ୍ତ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିଶୁ ସୁରକ୍ଷା ଆୟୋଗର ସଦସ୍ୟ ସତ୍ୟପ୍ରିୟା ପ୍ରଧାନ l ତାଙ୍କ କହିବା ଅନୁସାରେ ଶିଶୁଟିକୁ ୯ ଦିନ ହୋଇଥିବା ବେଳେ ତାର ବାପାମା’ ଛୁଆଟିକୁ ଦେଇ ଦେଇଛନ୍ତି। ସେ ପିଲାଟିକୁ ବିକ୍ରି କରି ନାହାନ୍ତି ବରଂ ଦାରିଦ୍ରତା ହେତୁ ସେ ପିଲାଟିର ଭରଣ ପୋଷଣ ପାଇଁ ଆନ୍ଧ୍ରର ଜଣେ ଦମ୍ପତିଙ୍କୁ ଦେଇ ଦେଇଛନ୍ତି l ତେବେ କୋର୍ଟରେ କାଗଜପତ୍ର ହୋଇଛି ବୋଲି ସେମାନେ କହୁଛନ୍ତି। ହେଲେ ଆମ ପାଖରେ ସେନେଇ କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ସତ୍ୟପ୍ରିୟା ପ୍ରଧାନ l
ସେପଟେ ଉକ୍ତ ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି l ତଦନ୍ତ ପାଇଁ ଚାନ୍ଦିଲି ଥାନାର ଉକ୍ତ ଗାଁରେ ପହଞ୍ଚିଛନ୍ତି ଉପଜିଲ୍ଲାପାଳ l ଦାରିଦ୍ର୍ୟ ପାଇଁ ବିକ୍ରି ଅଭିଯୋଗ ନେଇ ବାପା, ମାଆଙ୍କୁ ପଚରାଉଚରା କରିଛନ୍ତି ଉପଜିଲ୍ଲାପାଳ l ଅନ୍ୟପଟେ ଶିଶୁ କନ୍ୟାକୁ କିଣିଥିବା ଆନ୍ଧ୍ର ଦମ୍ପତି ଶିଶୁକୁ ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରିଛନ୍ତି l ପଚାରିବାରୁ ବାପା, ମାଆଙ୍କ ସମ୍ମତି ଅନୁସାରେ କୋର୍ଟ ପେପର କରିଥିବା କହିଛନ୍ତି ଉକ୍ତ ଆନ୍ଧ୍ର ଦମ୍ପତି l ତେବେ ଆମେ ସରକାରୀ ନିୟମ ଜାଣିନୁ, ଯାହା ନିୟମ ଅଛି ତାକୁ ମାନିବୁ ବୋଲି କହିଛନ୍ତି ଶିଶୁକନ୍ୟାକୁ କିଣିଥିବା ଆନ୍ଧ୍ର ଦମ୍ପତି l