Latest Odisha News

BREAKING NEWS

ଏନଟିପିସି ପ୍ଲାଣ୍ଟରେ କୋଇଲା ନିଅଣ୍ଟ, ଓଡ଼ିଶା ସମେତ ୬ଟି ରାଜ୍ୟରେ ବିଦ୍ୟୁତ ସଙ୍କଟ ଆଶଙ୍କା !

ତାଳଚେର: ଓଡ଼ିଶା ସମେତ ୬ଟି ରାଜ୍ୟ ଖୁବଶିଘ୍ର ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି । କାରଣ ତାଳଚେର କଣିହାଁଠାରେ ଥିବା ନ୍ୟାସନାଲ୍ ଥର୍ମାଲ୍ ପାୱାର୍ ଷ୍ଟେସନ (ଏନଟିପିସି)ର ଦୁଇଟି ପ୍ଲାଣ୍ଟରେ କୋଇଲା ଅଭାବ ଯୋଗୁଁ ଏବେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି ।

ମିଳିଥିବା ସୂଚନାନୁଯାୟୀ, ତାଳଚେର ଏମସିଏଲ୍ କୋଇଲାଖଣିରେ ଦୀର୍ଘ ୧୦ ଦିନଧରି ଶ୍ରମିକ ଆନ୍ଦୋଳନ ଯୋଗୁଁ କୋଇଲା ଉତ୍ପାଦନରେ ହ୍ରାସ ଘଟିଛି । ତେଣୁ ଆବଶ୍ୟକୀୟ ମାତ୍ରାରେ କୋଇଲା ଏନଟିପିସିକୁ ଯୋଗାଣ ହୋଇପାରୁନାହିଁ । ଏଠାରୁ କଣିହାଁସ୍ଥିତ ଏନଟିପିସିର ୩୦୦୦ ମେଗାୱାଟ ପ୍ଲାଣ୍ଟ ଏବଂ ୪୬୦ ମେଗାୱାଟ ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ (ଟିଟିପିସି)କୁ କୋଇଲା ଯୋଗାଣ ହେଉଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୨୫ ତାରିଖଠାରୁ ୧୦ଟି କୋଇଲା ଖଣିରେ ଦୀର୍ଘ ୧୦ ଦିନରୁ ଅଧିକ ଦିନ ଧରି ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଭରତପୁର କୋଇଲା ଖଣିରେ ମାଟି ଧସିଯାଇ ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଏହାର ପ୍ରତିବାଦରେ ଶ୍ରମିକ ଆନ୍ଦୋଳନ ଚାଲୁ ରହିଛି ।

ସୂତ୍ରରୁ ଜଣାପଡ଼ିଛି ଯେ, କଣିହାଁ ଏନଟିପିସି ପ୍ଲାଣ୍ଟରେ ଥିବା ୬ଟି ୟୁନିଟ ମଧ୍ୟରୁ ୩ଟି ୟୁନିଟ ଏବଂ ତାଳଚେର ଟିଟିପିସିରେ ସମୁଦାୟ ୬ଟି ୟୁନିଟ ମଧ୍ୟରୁ ୫ଟି ୟୁନିଟ୍ କୋଇଲା ଅଭାବରୁ ବନ୍ଦ ରହିଛି ।

କଣିହାଁ ପ୍ଲାଣ୍ଟର ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷମତା ଏବେ ୯୦୦ ମେଗାୱାଟ ରହିଥିବା ବେଳେ ତାଳଚେର ଟିଟିପିସି ପ୍ଲାଣ୍ଟର ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷମତା ୭୬ ମେଗାୱାଟ ରହିଛି ।

କଣିହାଁ ଏନଟିପିସି ପ୍ଲାଣ୍ଟ ଦୈନିକ ୫୮,୦୦୦ ମେଟ୍ରିକ୍ ଟନ୍ କୋଇଲା ଆବଶ୍ୟକ କରୁଥିବା ବେଳେ ଟିଟିପିସି ତାଳଚେର ପ୍ଲାଣ୍ଟରେ ଦୈନିକ ୯,୦୦୦ ମେଟ୍ରିକ୍ ଟନ୍ କୋଇଲା ଦରକାର ହେଉଛି ।

ଏବେ ଏନଟିପିସି ଅନ୍ୟସ୍ଥାନରୁ କୋଇଲା ଆମଦାନୀ କରି ପ୍ଲାଣ୍ଟ ଚଳାଉଥିବା ବେଳେ ଏହି ପରିସ୍ଥିତି ବଜାୟ ରହିଲେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଅନ୍ୟ ଉତ୍ତର-ପୂର୍ବ ତିନୋଟି ରାଜ୍ୟ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କା ରହିଛି ।

Leave A Reply

Your email address will not be published.