Latest Odisha News

BREAKING NEWS

ଅଘୋଷିତ ବିଦ୍ୟୁତ କାଟ: କଂଗ୍ରେସ ପରେ ବିଜେପି ଲଣ୍ଠନ ଜାଳି କଲା ପ୍ରତିବାଦ

ଭୁବନେଶ୍ୱର: ବାରମ୍ବାର ଅଘୋଷିତ ବିଜୁଳା କାଟ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ରାଜନୈତିକ ପାରା ତେଜିଛି। ସୋମବାର ଛାତ୍ର କଂଗ୍ରେସ ପରେ ବିଜେପି ମଧ୍ୟ ବିଜୁଳ କାଟକୁ ବିରୋଧ କରି ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇଛି।

କଂଗ୍ରେସର ଛାତ୍ର ସଙ୍ଗଠନର ସଦସ୍ୟ ଆଜି ସକାଳେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସନ୍ଧ୍ୟାରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରିଥିଲେ। ବିଜେପି ପକ୍ଷରୁ ଲଣ୍ଠନ ଜାଳିବା ସହ ବିଞ୍ଚଣା ବିଞ୍ଚି ପ୍ରତିବାଦ କରାଯାଇଛି।

ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ନବୀନ ନିବାସ ଅଭିମୁଖେ ଯାଇଥିଲେ। ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବିରୋଧରେ ନାରାବାଜି କରି ୨୪ ଘଣ୍ଟିଆ ବିଜୁଳି ଯୋଗାଣରେ ବିଫଳ ହୋଇଥିବାରୁ ତାଙ୍କ ଇସ୍ତଫା ଦାବି କରିଥିଲେ।

ଏପରିକି ରାଜ୍ୟ ସରକାର ଓଡ଼ିଶାକୁ ବିଜୁଳି ବଳକା ରାଜ୍ୟ ବୋଲି ଦାବି କରୁଥିଲେ ମଧ୍ୟ ନିରବଚ୍ଛିନ୍ନ ବିଜୁଳି ଯୋଗାଇବାରେ ବିଫଳ ହୋଇଛନ୍ତି। ବିଶେଷ କରି ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ରହୁଥିବା ସାଧାରଣ ଲୋକେ ପ୍ରବଳ ଗରମରେ ଅଧିକ ହନ୍ତସନ୍ତ ହେଉଛନ୍ତି। ସେମାନଙ୍କ ଦୁଃଖ ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ଏବଂ ଏହାର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ନେବାକୁ ପଡ଼ିବ ବୋଲି ବିଜେପି ନେତାମାନେ କହିଛନ୍ତି।

ତେବେ ଶିଶୁ ଭବନ ଛକରେ ବିଜେପି କର୍ମୀଙ୍କୁ ଅଧା ବାଟରେ ଅଟକାଇଥିଲା ପୋଲିସ। ବିକ୍ଷୋଭକାରୀ ବିଜେପି ନେତା ଓ ପୁଲିସ ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲା। ଘଟଣାସ୍ଥଳରୁ କିଛି ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି।

ଆଜି ସକାଳୁ ଶକ୍ତିମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଛାତ୍ର କଂଗ୍ରେସ କର୍ମୀ ଓ ନେତାମାନେ ଲଣ୍ଠନ ଓ ହାତରେ ଫ୍ୟାନ୍ ଧରି ଧାରଣାରେ ବସିଥିଲେ। ଏପରିକି ମନ୍ତ୍ରୀ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ କରି ବିକ୍ଷୋଭକାରୀମାନେ ତାଙ୍କ ବାସଭବନ ଉପରକୁ ଟମାଟୋ ଫିଙ୍ଗିଥିଲେ।

Comments are closed.