Latest Odisha News

୨୫ ଟଙ୍କାର ଲୋଭ ଦେଖାଇ ଶିଶୁ ବଳି ଉଦ୍ୟମ: ଜଣେ ଅଟକ

ପାରାଦୀପ: ଜଣେ ନାବାଳକକୁ ମାତ୍ର ୨୫ ଟଙ୍କାର ଲୋଭ ଦେଖାଇ ଶିଶୁ ବଳି ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଯାହା ବନ୍ଦର ନଗରୀ ପାରାଦ୍ବୀପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରେ ସଂପୃକ୍ତ ଗୁଣିଆକୁ ପୋଲିସ ଅଟକ ରଖିଥିବା ବେଳେ ଏଥିରେ ସ୍ଥାନୀୟ କିଛି ମହିଳାଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ ସନ୍ଦେହ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ରୋଗରୁ ମୁକ୍ତି ପାଇବା ପାଇଁ ଗୁଣିଆକୁ ଡାକି ଶିଶୁ ବଳି ଉଦ୍ୟମ କରାଯାଇଛି। ଏଭଳି ଅଭିଯୋଗ ଆସିଛି ବନ୍ଦର ନଗରୀ ପାରାଦୀପ ଷଣ୍ଢକୁଦ ବସ୍ତି ଅଞ୍ଚଳରୁ। ଶିଶୁଟିର ବାପା ର ଅଭିଯୋଗ ଅନୁଯାୟୀ ଗତ ଶନିବାର ଦିନ ତାଙ୍କ ପୁଅ, ତାର ମାମୁଁ ଘର ନିକଟରେ ଖେଳୁଥିବା ବେଳ ସେଠାକାର କିଛି ମହିଳା ତାକୁ ୨୫ ଟଙ୍କାର ଲୋଭ ଦେଖାଇ ନଦୀରୁ ପାଣି ଉଠାଇବାକୁ କହିଥିଲେ।

ଉକ୍ତ ନାବାଳକକୁ ଲଙ୍ଗଳା କରି ଏକ ଛୁରୀ ଦ୍ବାରା ପାଣିରେ ଗାର ଟାଣିବା ପରେ ପାଣି ଉଠାଇବାକୁ କହିଥିଲେ। ପାଣି ଉଠାଇବା ପରେ ୫ ଟଙ୍କା ତା ହାତରେ ଦେବା ସହିତ ସନ୍ଧ୍ୟା ରେ ୨୦ ଟଙ୍କା ଦେବାକୁ ଲୋଭ ଦେଖାଇଥିଲେ। ସନ୍ଧ୍ୟାରେ ଉକ୍ତ ନାବାଳକକୁ ନଦୀ କୂଳରେ ଫୁଲମାଳ ପିନ୍ଧାଇବା ସହିତ ସିନ୍ଦୁର ଲଗାଇ ପୂଜା କରାଯାଉଥିବା ବେଳେ ପିଲାଟିର ବାପା ସେଠାରେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ।

ଘଟଣାକୁ ସ୍ଥାନୀୟ ମୁରବୀଙ୍କ ଦ୍ୱାରା ସମାଧାନ ପାଇଁ ପ୍ରୟାସ ବିଫଳ ହେବା ପରେ ଏବେ ଥାନାରେ ପହଞ୍ଚିଛି ମାମଲା। ଉକ୍ତ ନାବାଳକ ତା ସହିତ ଘଟିଥିବା ସମସ୍ତ ଘଟଣା ପ୍ରକାଶ କରିଥିବା ବେଳେ ନାବାଳକ ର ବାପା ଏନେଇ ଥାନାରେ ଏତଲା ଦେଇଛନ୍ତି।

ବୁଧବାର ଏ ସମ୍ପର୍କରେ ଅଭିଯୋଗ ହେବାପରେ ଅଭିଯୁକ୍ତ ଗୁଣିଆ ଜୟନ୍ତ ପଣ୍ଡାଙ୍କୁ ପୋଲିସ ଅଟକ ରଖିବା ସହିତ ଏହି ଘଟଣାରେ ସଂପୃକ୍ତ ଦୁଇ ମହିଳାଙ୍କୁ ପଚରାଉଚରା ଜାରି ରଖିଥିବା ବେଳେ ଘଟଣାସ୍ଥଳରୁ ଶାଢୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।

ତେବେ ଏହି ଘଟଣାକୁ ଉଭୟ ଗୁଣିଆ ଓ ମହିଳା ଅସ୍ବୀକାର କରିଛନ୍ତି। ରୋଗରୁ ମୁକ୍ତି ପାଇଁ କେବଳ ପୂଜା କରୁଥିଲୁ ବୋଲି ଉଭୟ ପ୍ରକାଶ କରିଛନ୍ତି। ସେହିପରି ଗୁଣିଆକୁ ଅଟକ ରଖି ତଦନ୍ତ ଚାଲିଥିବା ଜଗତସିଂହପୁର ଅତିରିକ୍ତ ଏସ୍ ପି ବିଶ୍ବନାଥ ମିଶ୍ର ପ୍ରକାଶ କରିଛନ୍ତି।

Comments are closed.