Latest Odisha News

ଭାରତୀୟ ଚେସର ସୁନା ଭାଇ-ଭଉଣୀ ଯୋଡି

ନୂଆଦିଲ୍ଲୀ: ଫିଡେ ବିଶ୍ୱକପ ଚେସରେ ଭାରତ ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ବୁଡାପେଷ୍ଟରେ ଅନୁଷ୍ଠିତ ଏହି ମୁକାବିଲାରେ ପୁରୁଷ ଟିମ ୩.୫-୦.୫ରେ ସ୍ଲୋଭେନିଆକୁ ଏବଂ ମହିଳା ଟିମ କାଜକସ୍ତାନକୁ ୩-୦.୫ ପଂଏଟରେ ପରାସ୍ତ କରିଥିଲା । ଭାରତୀୟ ଚେସର ଏହି ସଫଳତା ପଛରେ ଭାଇ-ଭଉଣୀଙ୍କ ଯୋଡି ପୂନର୍ବାର ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଆର.ପ୍ରଜ୍ଞାନନନ୍ଦ ଖୁବ କମ ସମୟରେ ଲୋକପ୍ରିୟ ହୋଇ ସାରିଥିବା େବେଳ ବୈଶାଳୀ ରମେଶବାବୁ ତାଙ୍କ ବଡ ଭଉଣୀ ଭାବେ କେବଳ ପରିଚିତ ଥିଲେ । ପ୍ରଜ୍ଞାନନନ୍ଦଙ୍କୁ ଚେସର ୬୪ ଘରର ମହାରଥୀ ହାସଲ କରାଇବାରେ ତାଙ୍କ ମାଆ ଏବଂ ବଡ ଭଉଣୀଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା ।

ପ୍ରଥମ ଥର ପାଇଁ ବୈଶାଳୀ ନିଜକୁ ଆନ୍ତର୍ଜାତୀୟସ୍ତରରେ ସଫଳତାର ସହ ପ୍ରମାଣିତ କରିପାରିଛନ୍ତି । ବୈଶାଳୀ ୨୦୧୯ରେ ମହିଳା ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଥିଲେ । ମାଆ ନାଗଲକ୍ଷ୍ମୀ, ବୈଶାଳୀ ଓ ପ୍ରଜ୍ଞାନନନ୍ଦଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତର ସଫଳତା ପଛରେ ମୋ ପୁଅ, ଝିଅଙ୍କ ଯୋଗଦାନ ରହିବ ଏହାଠାରୁ ବଡକଥା ଆଉ କଣ ହୋଇପାରେ ବୋଲି ବାପା ରମେଶବାବୁ ଭାବ ବିହ୍ୱଳ ହୋଇ କହିଛନ୍ତି । ବୈଶାଳୀ ହାଙ୍ଗଝୋଉ ଏସିଆନ ଗେମ୍ସ ଟିମରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।

ଅକ୍ଟୋବର ୨୦୨୩ରେ ସେ ତାଙ୍କର ତୃତୀୟ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଥିଲେ । ପ୍ରାୟ ଏକ ଦଶନ୍ଧି ପରେ କୋନେରୁ ହମ୍ପି ଓ ହାରିକା ଡ୍ରୋନାଭଲ୍ଲୀଙ୍କ ପରେ ସେ ଏହି ସଫଳତା ହାସଲ କରିଥିଲେ । ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ଭାଇଭଉଣୀ ଭାବେ ମଧ୍ୟ ସେମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଚେସ ଅଲିମ୍ପିଆଡରେ ଉଭୟ ଭାଇଭଉଣୀ ଏକତ୍ର ବିଦେଶ ଗସ୍ତରେ ଯାଇଥିଲେ । ଏହି ସଫଳତା ପରେ ଆଗାମୀ ଦିନରେ ସେମାନଙ୍କଠାରୁ ବହୁତ କିଛି ଆଶା କରାଯାଉଛି ।

Leave A Reply

Your email address will not be published.