Latest Odisha News

BREAKING NEWS

୧୮ତମ ଟାଇମପାସ୍‍ ବୁକର ପୁରସ୍କାର ପାଇବେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଚାରିଜଣଙ୍କୁ ‘ବେଷ୍ଟସେଲର୍‍ ପୁରସ୍କାର’; ୧୨ ଜଣଙ୍କୁ ‘ପ୍ରଥମା ସମ୍ମାନ’

ଭୁବନେଶ୍ୱର: ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଯୁବ କଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୮ ବର୍ଷ ଧରି ପ୍ରଦାନ କରାଯାଇ ଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଯୁବଲେଖିକା ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘କେହିଜଣେ’ ପାଇଁ ପ୍ରଦାନ କରାଯିବ।

୫୦ ବର୍ଷ ବୟସ ସୀମାର ଓଡ଼ିଆ କଥାକାରଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ ଓ ପୁରସ୍କୃତ ପାଣ୍ଡୁଲିପିଟି ‘ଟାଇମପାସ୍‍’ ଦ୍ୱାରା ପ୍ରକାଶିତ ହୋଇଥାଏ। ଏଥିସହିତ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ପୁସ୍ତକକୁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବେଷ୍ଟସେଲର ପୁରସ୍କାର’ ପାଇଁ ଚଳିତ ବର୍ଷ ଗଳ୍ପ ବିଭାଗରେ ସଂଜୟ ପଣ୍ଡାଙ୍କ ‘ତକିଆ’, କବିତା ବିଭାଗରେ ସୁମିତ୍‍ ପଣ୍ଡାଙ୍କ ‘ମାଟି ଖୋଜେ ପକ୍ଷୀ’, ଉପନ୍ୟାସରେ ତ୍ରିନାଥ ସିଂହଙ୍କ ‘ଦୁଇଫର୍ଦ୍ଦ ଆକାଶ’ ଏବଂ ପ୍ରଥମା ବିଭାଗରେ ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକଙ୍କ ‘ଋତୁଟେ ରେଭେନ୍‍ସା’ ପୁସ୍ତକ ଯୋଗ୍ୟ ବିବେଚିତ ହୋଇଛି।

ନିୟମିତ ଭାବେ ଓଡ଼ିଆ ପୁସ୍ତକର ପଠନ ଓ ସାମାଜିକ ଗଣମାଧ୍ୟମରେ ତାର ପ୍ରଚାର ପ୍ରସାର କରୁଥିବା ଡ. ସୁବ୍ରତ କୁମାର ସେନାପତିଙ୍କୁ ଚଳିତ ବର୍ଷର ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯିବ।

ଡିସେମ୍ବର ୨୭ ଓ ୨୮ ତାରିଖରେ ଟାଇମପାସ ଦ୍ୱାରା ଆୟୋଜିତ ଷଷ୍ଠ ‘ଉତ୍‍ସାହିତ୍ୟ’ ଉତ୍ସବରେ ଉପରୋକ୍ତ ପ୍ରତିଭାମାନଙ୍କ ସହିତ ୧୨ଜଣଙ୍କୁ ପ୍ରଥମା ପୁରସ୍କାର, ୩୦ଜଣ ତରୁଣଙ୍କୁ ‘ଉଦୟରାଗ’ ସମ୍ମାନ ଓ ୧୦୦ଜଣଙ୍କ ମିନିକବିତାକୁ ‘ସେଫ୍‍ଟିପିନ୍‍ କବିତା’ ସମ୍ମାନ ପ୍ରଦାନ କରାଯିବ। ସାହିତ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମତମତାନ୍ତର, କବିତା କ୍ୟାଟ୍‍ୱାକ୍‍, ଗୀତ-ସଙ୍ଗୀତର କକ୍‍ଟେଲ୍‍, ଚଳଚ୍ଚିତ୍ର ପର୍ଦ୍ଦାୟନ, ଲେଖକଙ୍କ ସହ ଗପସପ, ଛବି ଓ କବିତାର ଯୁଗଳବନ୍ଦୀ, ପୁସ୍ତକ ଲୋକାର୍ପଣ, ସାକ୍ଷାତକାର, ପ୍ରଶ୍ନୋତ୍ତର ଆଦିର କାର୍ଯ୍ୟକ୍ରମ ରହିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

 

Leave A Reply

Your email address will not be published.