Latest Odisha News

ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟଙ୍କ ନିର୍ଦ୍ଦେଶ, ପ୍ରତାପ ଜେନା କହିଲେ ମୋ ବିରୋଧରେ ଷଡଯନ୍ତ୍ର

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଜେନା। ସେ କହିଛନ୍ତି, ବିରୋଧୀ ରାଜନୀତି କରି ତାଙ୍କୁ ଫସାଇବାକୁ ଉଦ୍ୟମ କରୁଛନ୍ତି। ମର୍ଡର ପରେ ହତ୍ୟାର କାରଣ ମିଡିଆ ଆଗରେ ଅଭିଯୁକ୍ତ କହିସାରିଛନ୍ତି। ତାଙ୍କୁ ଏହି ମାମଲାରେ ବିବାଦରେ ଫସାଇବାକୁ ତାଙ୍କ ସ୍ଥାନୀୟ ପ୍ରତିପକ୍ଷ ଏପରି ଏକ ପ୍ରୟାସ କରିଛନ୍ତି।

ସେ କହିଛନ୍ତି, ଡବଲ ମଡର ଘଟଣାରେ କୋର୍ଟଙ୍କ ରାୟ ମିଡିଆ ଜରିଆରେ ଜାଣିବାକୁ ପାଇଛି। ମୋ ବିରୁଦ୍ଧରେ ଯେଉଁ ଅଭିଯୋଗ ରହିଛି ତାହା ଏକ ସୁନିୟୋଜିତ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଏହା ସମ୍ପୂର୍ଣ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ। ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ବିରୁଦ୍ଧରେ ଷଡଯନ୍ତ୍ର କରାଯାଉଛି। ଯେଉଁମାନେ ମୋ ବିରୁଦ୍ଧରେ ଏପରି କରୁଛନ୍ତି ସେମାନଙ୍କର ନାରକୋ ଟେଷ୍ଟ କରାଯାଉ ବୋଲି କହିଛନ୍ତି, ଏପରିକି ନିଜର ନାରକୋ ଟେଷ୍ଟ କରାଯାଉ ବୋଲି ଆହ୍ୱାନ କରିଛନ୍ତି।

ସେ କହିଛନ୍ତି, ବିରୋଧୀ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ ଯିଏକି ମୋ ସହିତ ଲଢ଼ି ହାରିଛନ୍ତି ସେ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଷଡଯନ୍ତ୍ର କରୁଛନ୍ତି। ମାହାଙ୍ଗାରେ ବିକାଶକୁ ସହି ପାରୁ ନାହାନ୍ତି ବିରୋଧୀ। ବିଭିନ୍ନ ଗଣ ମାଧ୍ୟମରେ ମୋ ବିରୁଦ୍ଧରେ ଅପ ପ୍ରଚାର ଚାଲିଛି। ରାଜନୈତିକ ଉଦେଶ୍ୟ ରଖି ମତେ ବଦନାମ କରାଯାଉଛି।

ଉଲ୍ଲେଖଯୋଗ୍ୟ, କୋର୍ଟ ଏବେ ପ୍ରତାପ ଜେନାଙ୍କ ବିରୋଧରେ ଏକ ପ୍ରାଥମିକ ମାମଲାକୁ ବିଚାର କରି ଏହି ମାମଲାକୁ ଆଇନ ଅନୁଯାୟୀ ବିଚାର ପାଇଁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ଅଦାଲତକୁ ସ୍ଥାନାନ୍ତର କରିଛନ୍ତି।

ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ୨୦୨୧ ଜାନୁଆରୀ ୨ ତାରିଖରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।  ଏହାପରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଗୋବିନ୍ଦପୁର ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ କୋର୍ଟ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି। କୁଳମଣି ବରାଳଙ୍କ ପୁଅ କୋର୍ଟଙ୍କ ଏହି ନିର୍ଦ୍ଦେଶରେ ଖୁସି ପ୍ରକାଶ କରିଛନ୍ତି।

Comments are closed.