Latest Odisha News

BREAKING NEWS

ଜାନୁଆରୀ ୮ ରୁ ପ୍ରବାସୀ ଭାରତୀୟ ଦିବସ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

ଭୁବନେଶ୍ଵର: ଆଉ ଦୁଇ ଦିନ ପରେ ଅର୍ଥାତ୍ ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ଏବଂ ପରିଚାଳନା ନିମନ୍ତେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହା ସହ ସୁରକ୍ଷା ବ୍ୟବସ୍ଥାରେ କୌଣସି ପରିସ୍ଥିତିରେ ମଧ୍ୟ ତ୍ରୁଟି ବିଚ୍ୟୁତି ନ ହେବ ସେଥି ପ୍ରତି ସ୍ୱତନ୍ତ୍ର ନଜର ରଖିବାକୁ ଡିଜିପି ନିର୍ଦେଶ ଦେଇଛନ୍ତି।

ଜନତା ମଇଦାନର ଉତ୍ସବ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା, ପ୍ରବାସୀ ଭାରତୀୟଙ୍କ ରହଣି ସ୍ଥାନ, ଟ୍ରାଫିକ ପରିଚାଳନା, ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଉପଯୁକ୍ତ ଯୋଜନା ଓ କୌଶଳ ଆଦି ସଂକ୍ରାନ୍ତରେ ତନ୍ନ ତନ୍ନ କରି ସମୀକ୍ଷା କରିଛନ୍ତି। ଅତି ବିଶିଷ୍ଟ ନାଗରିକଙ୍କ ସୁରକ୍ଷା ବ୍ୟବସ୍ଥା, ପୋଲିସ ବିଭାଗର ପ୍ରସ୍ତୁତି, ପରିଚାଳନା, ପୋଲିସ ଫୋର୍ସ ମୁତୟନ, ଟ୍ରାଫିକ ସୁପରିଚାଳନା, ଯାନ ବାହନ ପାର୍କିଂ ସ୍ଥଳ ସମ୍ପର୍କରେ ବିସ୍ତୃତ ଭାବେ ଡିଜିପି ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଶଦ ଭାବେ ଆଲୋଚନା କରିଥିଲେ।

ସେପଟେ ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ଭଲ ଭାବେ ଆୟୋଜନ କରାଯିବା ନେଇ ମୁଖ୍ୟ ଶାସନ ସଚିବ ସମସ୍ତ ପ୍ରସ୍ତୁତି ଉପରେ ଗୁରୁତ୍ବ ଦେଇଛନ୍ତି । ତେବେ କହିରଖୁଛୁ ଯେ, ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ଉଦଘାଟନୀ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଯୋଗଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୯ ତାରିଖରେ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୧୦ ତାରିଖରେ ଉଦଯାପନୀ ଅଧିବେଶନରେ ଯୋଗଦାନ କରିବେ ।

 

Leave A Reply

Your email address will not be published.