Latest Odisha News

ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ଫେରାଦ ହେଲେ ପ୍ରିସିସିୟନ କମ୍ପାନୀର ଶ୍ରମିକ

କଳାହାଣ୍ଡି: ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ପ୍ରିସିସିୟନ କମ୍ପାନୀର ଶ୍ରମିକମାନେ। କଳାହାଣ୍ଡି ଜିଲ୍ଲା ବେଦାନ୍ତ ଆଲୁମିନା ଲିମିଟେଡ଼ କମ୍ପାନୀ ଦୀର୍ଘବର୍ଷ ହେଲା ଲାଞ୍ଜିଗଡ଼ରେ ନିର୍ମାଣ କରାଯାଇଛି।

ବେଦାନ୍ତ ଭିତରେ ଅନେକ ବଡ଼ ବଡ଼ କମ୍ପାନୀଗୁଡ଼ିକ ରହିଥିବାବେଳେ ଅନେକ ଶ୍ରମିକ କାମ କରି ନିଜ ପରିବାରର ପେଟ ପୋଷୁଛନ୍ତି। ହେଲେ ବେଦାନ୍ତ ଆଲୁମିନା କମ୍ପାନୀ ଅଧୀନରେ ଥିବା ପ୍ରିସିସିୟନ ଇଞ୍ଜିନିୟରିଂ ଲିମିଟେଡ଼ର ମନମୁଖୀ ଶାସନରେ ଅତିଷ୍ଠ ହୋଇ କିଛି ଶ୍ରମିକ ଗତ କିଛିମାସ ହେବ କମ୍ପାନୀ ବାହାରେ ବସୁଥିବା ଅଭିଯୋଗ ହୋଇଛି। ସେମାନଙ୍କୁ କାମରୁ ହଟାଇ ଶ୍ରମିକ ମାରଣାନୀତି ଅବଲମ୍ବନ କରାଯାଉଛି।

ଶ୍ରମିକମାନଙ୍କ କହିବା ଅନୁଯାୟୀ, କମ୍ପାନୀରେ ଅନେକ କାର୍ଯ୍ୟ ଆଇନ ବିରୁଦ୍ଧରେ ହେଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ।ଯାହା ଫଳରେ ପ୍ରିସିସିୟନ କମ୍ପାନୀର ବିମଲ ହୋତା ଏବଂ ସୁଶାନ୍ତ ଶତପଥୀଙ୍କ ଏକଛତ୍ରବାଦୀ ନୀତି ଚାଲିଛି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଶ୍ରମିକମାନେ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ, ଜିଲ୍ଲାପାଳ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଜଣାଇଥିଲେ। ମାତ୍ର ନ୍ୟାୟ ଦେବା ବଦଳରେ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ ଦିନ ଗଡ଼ାଇ ଚାଲିଥିବାବେଳେ ୪ମାସ ବିତେଇ ସାରିଲେଣି।
ଆସନ୍ତା ଅକ୍ଟୋବର ୧୧ତାରିଖରେ ସମାଧାନ ହେବ ବୋଲି ଶ୍ରମ ଅଧିକାରୀ କହିଛନ୍ତି। ଏପଟେ ୧୧ତାରିଖରେ ସମାଧାନ ନହେଲେ ଆଗାମୀ ଦିନରେ ଶ୍ରମିକମାନେ ବେଦାନ୍ତ ଆଲୁମିନା ଲିମିଟେଡ଼ କମ୍ପାନୀର ମୁଖ୍ୟ ଫାଟକ ଆଗରେ ଧାରଣା ଦେବେ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.