ମୁଲାନପୁର: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ପଞ୍ଜାବ କିଙ୍ଗସର ପ୍ରିୟାଂଶ ଆର୍ଯ୍ୟ ବିସ୍ଫୋରକ ଶତକ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି । ସେ ୩୯ ବଲରେ ୯ ଛକା ଓ ୭ ଚୌକା ସହାୟତାରେ ଶତକ ହାସଲ କରିଥିଲେ । ସେ ଶତକ ହାସଲ କରିବା ମାତ୍ରେ ପ୍ରୀତି ଜିଂଟା ଖୁସିରେ ନାଚି ଉଠିଥିଲେ । ଆଇପିଏଲ ମେଗା ନିଲାମରେ ପ୍ରୀତି ତାଙ୍କୁ ନେବା ପାଇଁ ଜିଦ ଧରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ଓ ଆରସିବି ମଧ୍ୟ ପ୍ରିୟାଂଶଙ୍କୁ ନେବା ପାଇଁ ଜୋର ଲଗାଇଥିଲେ । ତେବେ ଶେଷରେ ପଞ୍ଜାବ ବାଜି ମାରିଥିଲା । ୩.୮୦ କୋଟିରେ ପଞ୍ଜାବ ତାଙ୍କୁ ନେଇଥିଲା । ଜଣେ ଯୁବ ଖେଳାଳିଙ୍କ ପାଇଁ ଏତେମାତ୍ରାରେ ଅର୍ଥ ଖଚ୍ଚ ନ କରିବା ପାଇଁ ଟିମ ମ୍ୟାନେଜମେଂଟ ଚାହୁଁ ନ ଥିଲା ।
ଆଜି ପ୍ରିୟାଂଶ ଶତକ ହାସଲ କରି ପ୍ରୀତିଙ୍କ ସମ୍ମାନ ରଖିଛନ୍ତି । ଦିଲ୍ଲୀ ଟି୨୦ ଲିଗରେ କ୍ରମାଗତ ୬ଟି ଛକା ମାରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଏହି ଟୁର୍ଣ୍ଣାମେଂଟରେ ୧୦ଟି ଇନିଂସରେ ୬୦୮ ରନ କରିଥିଲେ । ଏଥିରେ ୪୩ ଛକା ରହିଥିଲା । ଗୌତମ ଗମ୍ଭୀରଙ୍କ କୋଚ ସଞ୍ଜୟ ଭରଦ୍ୱାଜ ତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ପ୍ରିୟାଂଶଙ୍କ ବାପା ଓ ମାଆ ସରକାରୀ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛନ୍ତି । ସେମାନଙ୍କ ନିଜର ଘର ନାହିଁ । ସରକାରୀ ଫ୍ଲାଟରେ ସେମାନେ ରହୁଛନ୍ତି । ଆଇପିଏଲ ପରେ ସେ ବାପା, ମାଆଙ୍କୁ ନୂଆ ଘର କିଣିକରି ଦେବେ ବୋଲି କହିଛନ୍ତି ।
Comments are closed.