ଅନୁଗୁଳ: ଆମ୍ବପାଳ ଗାଁର ମୁଖିଆ ବାଳକୃଷ୍ଣ ନାୟକ ଶୋଇଥିବା ବେଳେ ବିଷାକ୍ତ ଇଞ୍ଜେକସନ ଦିଆଯାଇ ମୃତ୍ୟୁ ହେବା ଘଟଣା, ଦୁଇ ଦିନ ପରେ ଅନୁଗୁଳ ସଦର ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କାର୍ଡ ଟିମ୍ ଏହି ରହସ୍ୟଜନକ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଶନିବାର ରାତିରେ ହୋଇଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ରବିବାର ସାମ୍ନାକୁ ଆସିଥିଲା। ହେଲେ ସୋମବାର ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତଦନ୍ତକାରୀ ଟିମ୍ ମୃତକଙ୍କ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛନ୍ତି।
ବାଳକୃଷ୍ଣ ନାୟକଙ୍କୁ ବିଷ ଇଞ୍ଜେକସନ୍ ଦେବା ପାଇଁ ବ୍ୟବହୃତ ଦୁଇଟି ସିରିଞ୍ଜକୁ ପୁଲିସ ଜବତ କରିଛି। ତାଙ୍କ ରୁମ୍ରୁ ଏକ ହାତଲେଖା ନୋଟ୍ ମଧ୍ୟ ମିଳିଛି। ଏହି ନୋଟରେ ଲେଖାଯାଇଛି, ‘ପ୍ରିୟ ମୁଖିଆ, ଗାଁ ପାଇଁ ସହିଦ ହୁଅ’। ମୁଁ ତୁମକୁ ଚେତାବନୀ ଦେଇଥିଲି ମୋ ଠାରୁ ଦୂରେଇ ରହିବାକୁ। ଜାନୁଆରୀ ୨୫ ତାରିଖ ଥିଲା, ଆଜି ଲକ୍ଷ୍ୟ ପୂରଣ ହୋଇଛି।
ପୁଲିସ ସୂଚନା ମୁତାବକ, ଶନିବାର ରାତିରେ ବାଳକୃଷ୍ଣ ନାୟକ ଖାଇବା ପରେ ଶୋଇଥିବା ବେଳେ ତିନି ଜଣ ଦୁର୍ବୃତ୍ତ ତାଙ୍କ ଘର ଭିତରକୁ ପଶି ତାଙ୍କୁ ବିଷ ଇଞ୍ଜେକସନ୍ ଦେଇ ଫେରାର ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କଟକ ନେବା ବାଟରେ ବାଳକୃଷ୍ଣ ନାୟକଙ୍କର ମୃତ୍ୟୁ ଘଟିଥିଲା।
Comments are closed.