Latest Odisha News

ଭୋପାଳ ପହଞ୍ଚି ଉତ୍କର୍ଷ-ଉନ୍ମେଷ ଉତ୍ସବର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୋପାଳ: ଗୁରୁବାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଗସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ସେଠାରେ ରବିନ୍ଦ୍ର ଭବନରେ ଉତ୍କର୍ଷ-ଉନ୍ମେଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ପ୍ରାୟ ଦୁଇ ଘଣ୍ଟା ଏହି କାର୍ଯ୍ୟକ୍ରମରେ ରହିବେ। ‘ଉତ୍କର୍ଷ-ଉତ୍ସବ’ ୩ ରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ସେହିପରି ‘ଉନ୍ମେଷ- ଉତ୍ସବ’ ୩ ରୁ ୬ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ଦେଶର ୫୦୦ କଳାକାର ନୃତ୍ୟ ପରିବେଷଣ କରିବେ।

ରାଷ୍ଟ୍ରପତି ରାଜା ଭୋଜ ବିମାନବନ୍ଦରରେ ପହଞ୍ଚିବା ପରେ ଗୃହମନ୍ତ୍ରୀ ଡା. ନରୋତ୍ତମ ମିଶ୍ର ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ପରେ ବିମାନ ବନ୍ଦରରୁ ସେ ସିଧା ରବିନ୍ଦ୍ର ଭବନ ଗସ୍ତ କରିଥିଲେ। ସୂଚନାଯୋଗ୍ୟ, ଉନ୍ମେଷ ଉତ୍ସବ ହେଉଛି ଏସିଆର ସର୍ବବୃହତ ସାହିତ୍ୟ ସମ୍ମିଳନୀ। ଏହି ଆନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଅଧୀନରେ ବହୁଭାଷୀ କବିତା ପାଠ, ଲେଖା ଶିକ୍ଷା, ଆଦିବାସୀ କବି ସମ୍ମିଳନୀ, ସାହିତ୍ୟର ବିଷୟବସ୍ତୁ ଉପରେ ଆଲୋଚନା କରାଯିବ। ସ୍ବାଧୀନତାର ଅମୃତ ମହୋତ୍ସବ ଉପରେ କବିତା ପାଠ ଏବଂ ସାହିତ୍ୟର ଉନ୍ନତି ସହ ଜଡିତ ବିଭିନ୍ନ ବିଷୟ ଉପରେ ଆଲୋକପାତ କରାଯିବ।

ଏହା ସହିତ ସାହିତ୍ୟ ଏକାଡେମୀ ଏବଂ ଅନ୍ୟାନ୍ୟ ପ୍ରକାଶକଙ୍କ ପୁସ୍ତକ ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ପୁସ୍ତକ ମେଳାରେ ବିକ୍ରି ପାଇଁ ଉପଲବ୍ଧ ହେବ। ଉତ୍ସବ ସମୟରେ ସାହିତ୍ୟ ଏକାଡେମୀ ଦ୍ୱାରା ନିର୍ମିତ ବିଶିଷ୍ଟ ଲେଖକଙ୍କ ଉପରେ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରଦର୍ଶିତ ହେବ।

Comments are closed.