ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ଓଡିଶା ପର୍ବ ୨୦୨୪’ । ଓଡିଶା ପର୍ବ ୨୦୨୪ର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁ୍ର୍ମୁ । ଜବାହାର ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେଇଥିଲେ । ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଓଡିଆ ସମାଜ ପକ୍ଷରୁ ପ୍ରତିବର୍ଷ ଦିଲ୍ଲୀର ଜାତୀୟ ମଞ୍ଚରେ ଏହି ପର୍ବ ଆୟୋଜିତ କରାଯାଉଛି । ଏହି ପର୍ବରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ନୃତ୍ୟ, ସଙ୍ଗୀତ, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପର ଏକ ନିଆରା ସଙ୍ଗମ ଦେଖିବାକୁ ମିଳିଛି ।
ଓଡ଼ିଶାର କୋଣ ଅନୁକୋଣରୁ ହସ୍ତଶିଳ୍ପ, ହସ୍ତତନ୍ତ, ନୃତ୍ୟ ଓ ସଙ୍ଗୀତ କଳାକାର ଏଥିରେ ଭାଗନେଇଛନ୍ତି । ସମାରୋହର ମୁଖ୍ୟ ଆକର୍ଷଣ ରହିଛି ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଯେଉଁଥିରେ ରାଜ୍ୟର ଲେଖକ, ବିଶେଷଜ୍ଞ, କଳାକାର ଓ ଇତିହାସକାରମାନେ ଯୋଗଦେଇଛନ୍ତି । ନ୍ୟାସନାଲ ବୁକ ଟ୍ରଷ୍ଟ (ଏନ୍ବିଟି) ସହଯୋଗରେ ଓଡ଼ିଆ ଲେଖକ ଓ ପ୍ରକାଶକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁସ୍ତକ ପ୍ରଦର୍ଶନ କରିଛନ୍ତି । ସମାରୋହରେ ୪୫ଟି ଓଡ଼ିଆ ଖାଦ୍ୟ ଷ୍ଟଲ୍,୨୫ ହସ୍ତତନ୍ତ ଓ କଳାଉତ୍ପାଦ ଷ୍ଟଲ ରହିଛି ।
ଉଦଘାଟନୀ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ କହିଛନ୍ତି ଭାରତର ଜାତୀୟ ରାଜଧାନୀରେ ଓଡ଼ିଶାର ଅସ୍ମିତା, ଗାଥା, ସୌନ୍ଦର୍ଯ୍ୟ, ମହକ, କୃତିତ୍ବ, ପ୍ରାଚୁର୍ଯ୍ୟ, କଳା, ସଂସ୍କୃତି ପରମ୍ପରାକୁ ପ୍ରଦର୍ଶନ କରାଯିବା ଗୌରବର କଥା। ଏହା ଦ୍ବାରା ଓଡ଼ିଶାର ଗୌରବମୟ ପରମ୍ପରା ଦେଶବିଦେଶରେ ଉପସ୍ଥାପିତ ହୋଇଛି। ଓଡ଼ିଶା ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ସହିଷ୍ଣୁତା। ଓଡ଼ିଶାର ଲୋକମାନେ ପୃଥିବୀ ତଥା ଭାରତର ଯେଉଁ ସ୍ଥାନରେ ରହନ୍ତି, ସେମାନେ ନିଜ ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ସ୍ଥାନୀୟ ଜନଜବୀନ ସହିତ ନିଜକୁ ମିଶାଇ ଦେଇଥାନ୍ତି। ଓଡ଼ିଶା ସହ ଦିଲ୍ଲୀବାସୀଙ୍କୁ ପରିଚିତ କରିବାରେ ଏହି ଉତ୍ସବର ବିଶେଷ ଭୂମିକା ରହିଛି। ଭାରତର ଇତିହାସ ଓ ଭୂଗୋଳରେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ତଥା ଓଡ଼ିଶା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଏ। ଓଡ଼ିଶାରେ ପଥର ବି କଥା କହେ। କେବଳ ଓଡିଆମାନଙ୍କ ପାଇଁ ଓଡ଼ିଶାର କୀର୍ତ୍ତି ଓ ପର୍ବପର୍ବାଣୀ ଆଜି ବିଶ୍ବରେ ଖ୍ୟାତ ହୋଇଛି। ଶାନ୍ତି ବିନା ପୃଥିବୀରେ ପ୍ରଗତି ଅସମ୍ଭବ- କଳିଙ୍ଗ ଯୁଦ୍ଧ ଏହି ଶିକ୍ଷା ଦେଇଛି ।
ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଆଜି ଆରମ୍ଭ ହୋଇଥିବା ଏହି ତିନି ଦିନିଆ ଓଡିଶା ପର୍ବ ଓଡିଶାର ସାଂସ୍କୃତିକ ପରମ୍ପରା ଓ ଐତିହ୍ୟର ଏକ ମହାନ୍ ନିଦର୍ଶନ। ଆପଣମାନେ ଯେଉଁ ହଜାର ହଜାର ଓଡିଆ ଭାଇ ଭଉଣୀମାନେ, ଦେଶର ରାଜଧାନୀ ଦିଲ୍ଲୀରେ ଅନେକ ବର୍ଷ ଧରି ରହିଆସୁଛନ୍ତି, ଏହି ମହୋତ୍ସବ ହେଉଛି ଆପଣ ମାନଙ୍କ ପାଇଁ ଦିଲ୍ଲୀରେ ରହି ଓଡିଶାକୁ ଅନୁଭବ କରିବାର ଏକ ସୁନ୍ଦର ପ୍ରୟାସ। ମୁଁ ଜାଣେ, ଆପଣଙ୍କ ବେଶ ପୋଷାକ କି କାର୍ଯ୍ୟଧାରା ଯାହା ହେଉଥାଉନା କାହିଁକି, ଆପଣମାନଙ୍କ ହୃଦୟରେ ଓଡ଼ିଆପଣ ସବୁବେଳେ ବସା ବାନ୍ଧି ରହିଛି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆମେ ସମସ୍ତେ ଗର୍ବିତ ଯେ ଆମେ ସମସ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିରେ ଜନ୍ମ ଲାଭ କରିଛୁ ଏବଂ ମହାନ ଓଡିଆ ଭାଷା ଓ ସଂସ୍କୃତିର ଉପାସକ। କେବଳ ଓଡିଶା ନୁହେଁ, ଓଡିଶା ବାହାରେ ମଧ୍ୟ ଏହି ସମୃଦ୍ଧ ପରମ୍ପରାକୁ ଆପଣମାନେ ପ୍ରଚାର ପ୍ରସାର କରୁଛନ୍ତି, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ଶ୍ରୀ ମୋହନ ମାଝୀ କହିଥିଲେ ମୁଁ ବହୁତ ଖୁସି ଯେ ଆମ ସରକାର ଗଠନ ହେବାର ପ୍ରଥମ ଦିନ ହିଁ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ତା ପରଦିନ ସକାଳୁ, ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟଙ୍କ ସହିତ ମୁଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଓଡିଶାର ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କାର୍ୟ୍ୟ ଆରମ୍ଭ କରିଥିଲୁ । ପ୍ରଭୁଙ୍କ ସେବା ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ସହିତ ରତ୍ନ ଭଣ୍ଡାରର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲୁ ।
୨୦୦ କୋଟି ଟଙ୍କାରେ ଏକ ସ୍ବତନ୍ତ୍ର ଓଡିଆ ଅସ୍ମିତା କର୍ପସ ପାଣ୍ଠି ଗଠନ କରାଯାଇଛି । କଳାକାର ମାନଙ୍କୁ ସହାୟତା ଦେବା ପାଇଁ ୭୨ କୋଟି ଟଙ୍କା ଏବଂ କିର୍ତ୍ତୀରାଜି ଗୁଡିକର ସଂରକ୍ଷଣ ପାଇଁ ୧୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ସହିତ ସ୍ବତନ୍ତ୍ର ଓଡିଆ ଅସ୍ମିତା ଭବନ, ଓଡିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ତାଳ ପତ୍ର ପୋଥୀର ସଂରକ୍ଷଣ ପାଇଁ ଏକ ବିଶ୍ବ ସ୍ତରୀୟ ମ୍ୟୁଜିୟମ ପ୍ରତିଷ୍ଠା ଆଦି ଅନେକ କାର୍ୟ୍ୟକ୍ରମ ଆମେ ହାତକୁ ନେଇଛୁ। ଓଡିଶାର ସାଂସ୍କୃତିକ ମର୍ୟ୍ୟାଦାର ସୁରକ୍ଷା ପାଇଁ ଆମ ସରକାର ପ୍ରତ୍ୟେକ ସ୍ତରରେ ପ୍ରତିଶ୍ରୁତିବଦ୍ଧ ଭାବରେ କାମ କରୁଛି ଓ କରିଚାଲିବି ।
Comments are closed.