Latest Odisha News

ଅନୁଭୂତିରେ ପ୍ରକୃତି; କିଛି ଏମିତି ଲେଖିଲେ ମହାମହିମ…

ପୁରୀ: ବଡଦାଣ୍ଡରେ ଏକକାର ଭକ୍ତ ଓ ଭଗବାନ । ଏହି ଅବସରରେ ବଡଦାଣ୍ଡରେ ସାଧାରଣ ଭକ୍ତ ଭାବରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମହାମହିମ ରାଷ୍ଟ୍ରପତି । ରବିବାର ଘୋଷଯାତ୍ରା ଉପଲକ୍ଷେ ରଥାରୂଢ ମହାପ୍ରଭୁଙ୍କ ଆଶିଷ ନେବା ପରେ ଆଜି ସକାଳୁ ସକାଳୁ ବେଳା ଭୂମିରେ ପ୍ରାତଃଭ୍ରମଣ କରିଥିଲେ ରାଷ୍ଟ୍ରପତି । ଏହା ପରେ ସେ ତାଙ୍କର ଅନୁଭୂତି ନିଜର ଏକ୍ସ ହ୍ୟାଣ୍ଡେଲରେ ବ୍ୟକ୍ତ କରିଛନ୍ତି ।

ମହାମହିମ ଲେଖିଛନ୍ତି, ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ । ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶବିଶେଷ ବୋଲି ଆମର ହୃଦବୋଧ ହୁଏ । ମୁଁ ଆଜି ବେଳାଭୂମିରେ ଚାଲୁଥିଲା ବେଳେ ମନ୍ଦ ମନ୍ଦ ପବନ ବହୁଥିଲା, ସମୁଦ୍ରର ଢେଉ ଗର୍ଜନ କରୁଥିଲା ଏବଂ ଜଳରାଶି ଦିଗବଳୟକୁ ଛୁଇଁଯାଉଥିଲା । ଏପରି ପରିବେଶରେ ମୁଁ ତଲ୍ଲୀନ ହୋଇଯାଇଥିଲି ବୋଲି କହିଛନ୍ତି ରାଷ୍ଟ୍ରପତି । ସତେ ଯେପରି ତାଙ୍କୁ ଲାଗିଲା, ସେ ଯେମିତି ଧ୍ୟାମମଗ୍ନ ହୋଇଯାଇଛି ।

ରବିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲାବେଳେ ସେ ଯେଉଁ ପ୍ରଶାନ୍ତି ଲାଭ କରିଛନ୍ତି, ସେହିଭଳି ବେଳାଭୂମି ପରିବେଶରେ ମଧ୍ୟ ତାଙ୍କର  ଅନୁରୂପ ଅନୁଭୂତି ହେଲା । ଏନେଇ ରାଷ୍ଟ୍ରପତି କହିଛନ୍ତି, ଏହା ମୋର ଯେ କେବଳ ଏପରି ଅନୁଭୂତି ଅଛି ତା’ ନୁହେଁ । ନିଜ ଠାରୁ କାହିଁ କେତେ ଗୁଣ ବିଶାଳ ଏକ ସତ୍ତା ସଂସ୍ପର୍ଶରେ ଆସିଲେ ହିଁ ଆମ ଭିତରେ ଏପରି ଏକ ଭାବ ସୃଷ୍ଚି ହୁଏ । ଏହି ସତ୍ତା ଆମକୁ ଧରିରଖେ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ । ଦୈନନ୍ଦିନ ଜୀବନର ଧାଁ ଦଉଡ଼ ଭିତରେ ମଣିଷ, ପ୍ରକୃତି ମାଆ ଠାରୁ ଦୂରେଇ ଯାଉଛି ଏବଂ ପ୍ରକୃତିକୁ ନିୟନ୍ତ୍ରଣ କରିପାରିଛି ବୋଲି ବାହାସ୍ଫୋଟ ମାରୁଛି ତଥା ନିଜର ସାମୟିକ ସୁଖ ପାଇଁ ପ୍ରକୃତିକୁ ଶୋଷଣ କରିଚାଲିଛି । ଏହାର କୁପରିଣତି ଆମେ ସମସ୍ତେ ଭୋଗୁଛନ୍ତି ।

ଚଳିତ ଗ୍ରୀଷ୍ମ ଋତୁରେ ଭାରତର ଅନେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ବିଗତ କିଛି ବର୍ଷ ହେଲା, ସମଗ୍ର ପୃଥିବୀରେ ପାଣିପାଗ ଜନିତ ଘଟଣାସବୁ ଚରମ ସ୍ତରରେ ପହଞ୍ଚିଛି ଏବଂ ଏସବୁ ଘଟଣା ଏବେ ଅଧିକରୁ ଅଧିକ ଘଟିବାରେ ଲାଗିଛି । ଏପରିକି, ଆଗାମୀ ଦଶନ୍ଧିଗୁଡ଼ିକରେ ଏହି ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଏବେଠୁ ଅନୁମାନ କରାଗଲାଣି ବୋଲି କହି ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ।

Comments are closed.