Latest Odisha News

BREAKING NEWS

ଦୁଇ ଦିନିଆ ମଣିପୁର ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ମଣିପୁର ଗସ୍ତ ପୂର୍ବରୁ ଗୁରୁବାର ଦିନ ଇମ୍ଫାଲରେ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଜୋର୍ ଧରିଛି। ସେ ଆସନ୍ତା ଡିସେମ୍ବର ୧୧-୧୨ ତାରିଖରେ ମଣିପୁର ଯିବା ନେଇ ସୂଚନା ମିଳିଛି। ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ରାଜ୍ୟ ଗସ୍ତ ହେବ।

ତାଙ୍କ ଆଗମନକୁ ଦୃଷ୍ଟିରେ ରଖି ରାଜ୍ୟ କର୍ତ୍ତୃପକ୍ଷ ଇମ୍ଫାଲ ବିମାନବନ୍ଦର ଆଖପାଖର ପରିବେଶର ସୌନ୍ଦର୍ଯ୍ୟକରଣ କରୁଥିବା ବେଳେ ରାସ୍ତାଗୁଡ଼ିକୁ ମଧ୍ୟ ନୂତନ ଭାବରେ ରଙ୍ଗ ଦିଆଯାଉଥିବା ନେଇ ସୂଚନା ମିଳିଛି। ଏଥିସହିତ ଡିଭାଇଡରଗୁଡ଼ିକୁ ନବୀକରଣ କରାଯାଉଛି ଓ ତାଙ୍କୁ ସ୍ୱାଗତ କରିବା ପାଇଁ ରଙ୍ଗୀନ ପତାକା ମାନ ଲଗାଯାଇଥିବା ଜଣାପଡିଛି। କେବଳ ଏତିକି ନୁହେଁ ବିଭିନ୍ନ ସରକାରୀ ବିଭାଗ ମଧ୍ୟ ସହର ସାରା ସ୍ୱାଗତ ବ୍ୟାନର ଏବଂ ବିଲବୋର୍ଡ ଲଗାଇଛି। ତେବେ ରାଷ୍ଟ୍ରପତି ଇମ୍ଫାଲର ସିଟି କନଭେନସନ ସେଣ୍ଟରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ଯୋଜନା ରହିଥିବା ରିପୋର୍ଟରୁ ଜଣାପଡ଼ିଛି।

ଦ୍ୱିତୀୟ ଦିନରେ ସେ ନୁପି ଲାଲ ସ୍ମାରକୀ କମ୍ପ୍ଲେକ୍ସରେ ନୁପି ଲାଲ ଦିବସ ସମାରୋହରେ ଅଂଶଗ୍ରହଣ କରିବେ। ଯେଉଁଠାରେ ସେ ମଣିପୁରର ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ନୁପି ଲାଲ ସ୍ମାରକୀ ୧୯୦୪ ଏବଂ ୧୯୩୯ ରେ ଔପନିବେଶିକ ଶାସନ ବିରୁଦ୍ଧରେ ମହିଳାମାନଙ୍କ ଦ୍ୱାରା ନେତୃତ୍ୱାଧୀନ ଦୁଇଟି ଐତିହାସିକ ଆନ୍ଦୋଳନକୁ ମନେ ପକାଇଥାଏ ଓ ପ୍ରତିବର୍ଷ ଡିସେମ୍ବର ୧୨ ତାରିଖରେ ଏହା ପାଳିତ ହୋଇଥାଏ। ଏହା ପରେ ରାଷ୍ଟ୍ରପତି ଏକ ସରକାରୀ କାର୍ଯ୍ୟକ୍ରମରେ ସେନାପତି ଜିଲ୍ଲାକୁ ଯିବା ନେଇ ଯୋଜନା ରହିଛି। ତେବେ ଏହି ସମୟରେ ବିଦ୍ରୋହୀ ଗୋଷ୍ଠୀଗୁଡ଼ିକର ଏକ ଛତ୍ର ସଂଗଠନ ଓ କୋରକମ୍ ଏହି ଗସ୍ତକୁ ବିରୋଧ କରି ଡିସେମ୍ବର ୧୧ ଏବଂ ୧୨ ତାରିଖରେ ମଣିପୁରରେ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଥିବା ଜଣାପଡିଛି।

 

Leave A Reply

Your email address will not be published.