Latest Odisha News

ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମ୍ମିଳନୀରେ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଗଢ଼ିତୋଳିବା ସହ ସାଧାରଣ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟପାଳମାନଙ୍କ ସମ୍ମିଳନୀରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ଏହି ଉଦଘାଟନୀ ଅଧିବେଶନରେ ଉପରାଷ୍ଟ୍ରପତି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ l

ସମ୍ମିଳନୀକୁ ଉଦଘାଟନ କରିବା ସହ ଅପରାଧିକ ନ୍ୟାୟ ସମ୍ବନ୍ଧୀୟ ତିନୋଟି ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ଦେଶରେ ନ୍ୟାୟ ବ୍ୟବସ୍ଥାର ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷୀ ଅଧିନିୟମ ଭଳି ଆଇନର ନାମରୁ ଆମ ଚିନ୍ତାଧାରାରେ ପରିବର୍ତ୍ତନ ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ରକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ସବୁ ରାଜ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଜରୁରୀ । ସମ୍ପୃକ୍ତ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହିସାବରେ ସେମାନେ କିପରି ଏହି ସମନ୍ୱୟକୁ ପ୍ରୋତ୍ସାହିତ କରିପାରିବେ ସେ ବିଷୟରେ ଚିନ୍ତା କରିବାକୁ ରାଜ୍ୟପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ।

ସମସ୍ତ ରାଜ୍ୟପାଳ ଲୋକଙ୍କ ସେବା ଓ କଲ୍ୟାଣ ରେ ଯୋଗଦାନ ଜାରି ରଖିବେ ଏବଂ ସେମାନଙ୍କ ଦ୍ୱାରା ନିଆଯାଇଥିବା ଶପଥକୁ ନ୍ୟାୟ ଦେବେ ବୋଲି ରାଷ୍ଟ୍ରପତି ବିଶ୍ୱାସ ବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀରେ ବିଭିନ୍ନ ଅଧିବେଶନ ଆୟୋଜନ କରାଯିବ l ଯେଉଁଥିରେ ରାଜ୍ୟପାଳଙ୍କ ସବ୍-ଗ୍ରୁପ୍ ପ୍ରତ୍ୟେକ ଏଜେଣ୍ଡା ଆଇଟମ୍ ଉପରେ ବିଚାର ବିମର୍ଶ କରିବେ। ରାଜ୍ୟପାଳଙ୍କ ବ୍ୟତୀତ ଏହି ଅଧିବେଶନରେ କେନ୍ଦ୍ର ମନ୍ତ୍ରୀ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଯୋଗ ଦେବେ। ଆସନ୍ତାକାଲି ଶେଷ ଅଧିବେଶନରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଅଂଶଗ୍ରହଣକାରୀଙ୍କ ସମ୍ମୁଖରେ ସବ୍-ଗ୍ରୁପ୍ ଗୁଡ଼ିକର ମତାମତ ଓ ପରାମର୍ଶ ଉପସ୍ଥାପନ କରାଯିବ।

Comments are closed.