Latest Odisha News

BREAKING NEWS

ସ୍ୱର୍ଗତଃ ବାଜପେୟୀଙ୍କ ଆଜି ଶ୍ରାଦ୍ଧ ବାର୍ଷିକୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି ଓ କୋବିନ୍ଦ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ।

୨୦୧୮ ମସିହା ଆଜିର ଦିନରେ ଦେଶର ମହାନାୟକ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀଙ୍କ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଦେହାନ୍ତ ଘଟିଥିଲା ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରିବା ସହ ରାଷ୍ଟ୍ରୀୟ ସ୍ମୃତିସ୍ଥଳ ତଥା ଅଟଳଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ରାଜନେତା ତଥା ସ୍ୱର୍ଗତଃ ବାଜପେୟୀଙ୍କ ଝିଅ ଓ ନାତୁଣୀ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଆହୁରି ମଧ୍ୟ ବାଜପେୟୀଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଉଲ୍ଲେଖଯୋଗ୍ୟ ଅଟଳ ବିହାରୀ ବାଜପେୟୀ ଥିଲେ ଭାରତୀୟ ରାଜନୀତିର ପିତାମହ ଭୀଷ୍ମ । ଦେଶକୁ ସୁଶାସନ ଦେଇ ବିକାଶ ପଥରେ ଆଗେଇ ନେଇଥିଲେ ଏହି କାଳଜୟୀ ରାଜନୀତିଜ୍ଞ । ଜଣେ ନିଷ୍ଠାପର ରାଜନୀତିଜ୍ଞ ତଥା ସରଳ ଓ ଅମାୟିକ ପ୍ରଶାସକ ଭାବେ ଭାରତୀୟ ଜନମାନସରେ ଅଜାତ ଶତ୍ରୁ ଅଟଳ ବିହାରୀ ବାଜପେୟୀ ସର୍ବଦା ଚିରସ୍ମରଣୀୟ ହୋଇ ରହିବେ ।

Leave A Reply

Your email address will not be published.