ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ। ଚଳିତ ମାସ ୧୦ ତାରିଖ ଦିନ ସେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବାକୁ ଯାଉଛନ୍ତି। ଦେଶର ସର୍ବୋଚ୍ଚ ପଦବୀରେ ବସିବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କର ପ୍ରଥମ ଓଡ଼ିଶା ଗସ୍ତ ହେବ। ତେଣୁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଳା ରାଷ୍ଟ୍ରପତିଙ୍କ ଗସ୍ତ ସମ୍ୱନ୍ଧିତ ପ୍ରାଥମିକ ସୂଚନା ଉପସ୍ଥାପନ କରିଥିଲେ।
ରାଷ୍ଟ୍ରପତି ଭବନରୁ ମିଳିଥିବା ସୂଚନା ଆଧାରରେ ନିର୍ଦ୍ଧାରିତ ପ୍ରୋଟୋକଲ୍ ଏବଂ କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ସମସ୍ତ ବ୍ୟବସ୍ଥା ତୃଟି-ଶୂନ୍ୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପୋଲିସ ବିଭାଗ, ପୁରୀ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଷ୍ଟ୍ରପତିଙ୍କ ଗସ୍ତ, ରହଣୀ ଓ ସଭା ଆଦି ସମୟରେ ଗାର୍ଡ ଅଫ୍ ଅନର, ଜାତୀୟ ସଂଗୀତ ବାଦନ, ବାରିକେଡ୍, ନିରାପତ୍ତା, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ଇଣ୍ଟରନେଟ୍ ଓ ଟେଲିଫୋନ୍ ଯୋଗାଯୋଗ, ବୈଷୟିକ ଉପକରଣ, ଟ୍ରାଫିକ୍ ପରିଚାଳନା, ସାଧାରଣ ଆଇନ୍ ଶୃଙ୍ଖଳା, ଗଣମାଧ୍ୟମ ପାଇଁ ଅନୁମତି ଆଦି ବିଷୟରେ ଆଲୋଚନା ହୋଇଥିଲା ।
ରାଷ୍ଟ୍ରପତି ଗସ୍ତ କରିବାକୁ ଥିବା ପ୍ରତି ସ୍ଥାନରେ ପୋଲିସ୍ ଏବଂ ସଂପୃକ୍ତ ବିଭାଗର ନୋଡାଲ୍ ଅଫିସର ନିୟୋଜିତ କରି ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ନିକଟକୁ ଯିବାକୁ ଥିବା ଏବଂ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରୁଥିବା ସମସ୍ତ ବ୍ୟକ୍ତିଙ୍କର ଆର୍.ଟି.ପି.ସି.ଆର୍. ପଦ୍ଧତିରେ କୋଭିଡ଼୍ ପରୀକ୍ଷା ଏବଂ ମାସ୍କ ପରିଧାନ ନିଶ୍ଚିତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ମାସ ୧୦ ଏବଂ ୧୧ ତାରିଖ ଦୁଇଦିନ ଧରି ରାଷ୍ଟ୍ରପତି ଓଡ଼ିଶାରେ ରହିବେ। ୧୦ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସିଂହଦ୍ୱାର ନିକଟସ୍ଥ ଉତ୍କଳମଣି ପଣ୍ଡିତ୍ ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବେ। ଏହାପରେ ପୁରୀ ରାଜଭବନକୁ ଯିବେ। ଅପରାହ୍ନରେ ଭୁବନେଶ୍ୱର ଆସି ସହରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଉତ୍କଳର ବରପୁତ୍ରମାନଙ୍କ ପ୍ରତିମୁର୍ତ୍ତିମାନଙ୍କରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରିବେ। ପରେ ପରେ ରାଷ୍ଟ୍ରପତି ମହୋଦୟା ରାଜଭବନ ଗସ୍ତ କରିବେ ଓ ସେଠାରେ ସିଭିକ୍ ରିସେପନ୍ କାର୍ଯ୍ୟକ୍ରମ ହେବାର ପ୍ରସ୍ତାବ ରହିଛି। ୧୦ ତାରିଖ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଜଭବନରେ ବିଶ୍ରାମ ନେବେ। ଗସ୍ତର ଦ୍ୱିତୀୟ ଦିନରେ (୧୧ ନଭେମ୍ବର) ରାଷ୍ଟ୍ରପତି ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବାର ସମ୍ଭାବନା ରହିଛି । ପରେ ପରେ ରାଷ୍ଟ୍ରପତି ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିଅରିଂ ପୁସ୍ତକ ସମୂହ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ବୈଷୟିକ ଭାଷାକୋଷ, ଏବଂ ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ୍ “ଇ-କୁମ୍ଭ” ଉନ୍ମୋଚନ କରିବେ। ଦ୍ୱିତୀୟ ଦିନ ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପାଲାମ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବେ।
ଏହି ବୈଠକରେ ପୋଲିସ୍ ମହା ନିର୍ଦ୍ଦେଶକ ସୁନୀଲ କୁମାର ବଂଶଲଙ୍କ ସମେତ ସଂପୃକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ । ପୁରୀ ଏବଂ ଖୋର୍ଦ୍ଧାର ଜିଲ୍ଲାପାଳ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ।
Comments are closed.