Latest Odisha News

୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି। ଆସନ୍ତା ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ ବୋଲି ପ୍ରକାଶିତ ଗସ୍ତ ସୂଚୀରୁ ଜଣାପଡ଼ିଛି। ୩ରୁ ୭ ତାରିଖ ଯାଏ ସେ ଓଡ଼ିଶା ଗସ୍ତରେ ରହିବେ। ୪ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଭି ଡେ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ୫ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବର କୋର୍ଟର ନୂଆ ବିଲ୍ଡିଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଡିସେମ୍ବର ୬ ତାରିଖରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବେ। କାର୍ଯ୍ୟକ୍ରମ ସୂଚୀ ଅନୁସାରେ, ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ୩ ଦିନ ଧରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଯୋଗଦେବା ପରେ ୬ ତାରିଖରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିମାନ ଯୋଗେ ପଶ୍ଚିମବଙ୍ଗରେ ଥିବା ପ୍ରତିରକ୍ଷା ବିଭାଗ କଲେଇକୁଣ୍ତା ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ନିଜ ଜନ୍ମମାଟି ଉପରବେଡ଼ା ଗାଁକୁ ଯିବେ।

 

କାର୍ଯ୍ୟକ୍ରମ ସୂଚନା ଅନୁସାରେ, ରାଷ୍ଟ୍ରପତି ନିଜେ ପାଠ ପଢ଼ିଥିବା ଉପରବେଡ଼ା ସରକାରୀ ଉଚ୍ଚବିଦ୍ୟାଳୟକୁ ଯାଇ ସେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ। ସେଠାରୁ ସେ ନିଜ ବାସଭବନକୁ ଯିବାର କାର୍ଯ୍ୟକ୍ରମ ରହିଛି। ରାଇରଙ୍ଗପୁରସ୍ଥ ବାସଭବନରେ ମଧାହ୍ନଭୋଜନ କରିବା ପରେ ଉପଖଣ୍ତ ଚିକିତ୍ସାଳୟରେ ଏସ୍ଏଲ୍ଏସ୍ ଟ୍ରଷ୍ଟ ପକ୍ଷରୁ ପ୍ରଦତ୍ତ ଏକ ଯାନକୁ ଲୋକାର୍ପିତ କରିବେ। ଏଥିସହିତ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପକଙ୍କ ସହିତ ଆଲୋଚନା କରିବା ପରେ ପୁଣେଶ୍ବର ମହାଦେବଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ। ସେଦିନ ରାଇରଙ୍ଗପୁରସ୍ଥ ବାସଭବନରେ ରାତ୍ରୀ ଯାପନ କରିବେ। ପରଦିନ ଅର୍ଥାତ୍ ୭ ତାରିଖ ସକାଳେ କେତେକ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ବାଙ୍ଗିରିପୋଷି ଯାଇ ବହୁ ପ୍ରତୀକ୍ଷିତ ୩ଟି ନୂତନ ରେଳପଥ ଯଥା: ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା–ଚାକୁଳିଆ ଓ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳପଥର ଶିଳାନ୍ୟାସ କରିବେ। ଏହାସହିତ ଆଭାସୀ ଜରିଆରେ ଆଦିବାସୀ ଗବେଷଣା କେନ୍ଦ୍ର, ଦାଣ୍ତବୋଷ ଏୟାରଷ୍ଟ୍ରିପ୍ ଓ ଉପଖଣ୍ତ ଚିକିତ୍ସାଳୟର ପୁନରୁଦ୍ଧାର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

Leave A Reply

Your email address will not be published.