Latest Odisha News

BREAKING NEWS

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତକୁ ନେଇ ବୈଠକ ,ନିୟୋଜିତ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଗସ୍ତରେ ୪୦ ଜଣ ଅଧିକାରୀ ଓ ୨ଶହ ଜଣ ଅଫିସର ନିୟୋଜିତ ହେବେ ।ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଓ ୩.୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚି ଏକ ହୋଟେଲରେ ଅବସ୍ଥାନ କରିବେ । ତା ପରେ ୫ଟା ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫.୪୫ରେ ବାହାରିବେ।

ଶ୍ରୀମନ୍ଦିର ଭିତରେ ସେ ୪ମିନିଟ ସମୟ ଅତିବାହିତ କରିବେ। ହେଲିପ୍ୟାଡ ଠାରୁ ହୋଟେଲ, ହୋଟେଲରୁ ଶ୍ରୀମନ୍ଦିର,ଶ୍ରୀମନ୍ଦିର ଭିତରେ ଓ ବାହାରେ,ହୋଟେଲ ପ୍ରତ୍ୟାବର୍ତ୍ତନ,ରାଷ୍ଟ୍ରପତିଙ୍କ ଦର୍ଶନ ସମୟରେ ସାଧାରଣ ଦର୍ଶନ ବନ୍ଦ ରଖିବା ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।ସେହିପରି ୨୦ତାରିଖ ସକାଳ ୧୦.୩୫ରେ ଶ୍ରୀଚୈତନ୍ୟ ଗୌଡିୟ ମଠ ଯାଇ ପରିଦର୍ଶନ କରିବେ।ସେଠାରେ ମଠ ପକ୍ଷରୁ ଶଙ୍ଖଧ୍ଵନି,ସଙ୍କୀର୍ତ୍ତନ ମଧ୍ୟରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରାଯିବ।

କୋଭିଡ କଟକଣା ମଧ୍ୟରେ ମଠର ୪୦ଜଣ ଆଚାର୍ଯ୍ୟ ଉପସ୍ଥିତ ରହିବେ।ଭାରତବର୍ଷର ବିଭିନ୍ନ ସ୍ଥାନରୁ ମଠ ଶାଖାର କର୍ମକର୍ତ୍ତା, ସାଧୁସନ୍ଥ ଯୋଗଦେବେ ।ମଠରୁ ବାହାରି ୧୧ଟା ରେ ଶରଧାବାଲିରେ ଆୟୋଜିତ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ୱାମୀ ମହାରାଜଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉଦଘାଟନୀ ଉତ୍ସବରେ ଯୋଗ ଦେବେ।ଏହି ଭବ୍ୟ ସାରସ୍ଵତ କାର୍ଯ୍ୟକ୍ରମରେ ଶ୍ରୀ ଚୈତନ୍ୟଙ୍କ ବାଣୀ,ଆଦର୍ଶ,ନୀତି ଓ ଜୀବନାଦର୍ଶ ସଂପର୍କରେ ଆଲୋଚନା କରାଯିବ।

ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଗତକାଲି ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

ରାଷ୍ଟ୍ରପତିଙ୍କ ଆସିବାରୁ ଯିବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା,ଶ୍ରୀମନ୍ଦିର ଦର୍ଶନ,ରୁଟ ସିକ୍ୟୁରିଟି ବ୍ୟବସ୍ଥା ସଂପର୍କରେ ପ୍ରାରମ୍ଭିକ ଅନୁଧ୍ୟାନ କରିଛନ୍ତି। ପ୍ରସ୍ତୁତି ବୈଠକରେ ଡଃ କନୱାର ବିଶାଲ ସିଂ ଏବଂ ଅନ୍ୟାନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତି ଥିଲେ। ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକରେ ପ୍ରତ୍ୟେକ ଦିଗକୁ ନେଇ ଆଲୋଚନା କରାଯାଇଛି।

Comments are closed, but trackbacks and pingbacks are open.