ମୁମ୍ବାଇ: କ୍ରିକେଟ ଏମିତି ଏକ ଖେଳ ଯେଉଁଠି କେତେକ ମ୍ୟାଚ ଓ ମୁହୂର୍ତ୍ତ ଚିରସ୍ମରଣୀୟ ହୋଇ ରହିଥାଏ। ସଚିନ ତେନ୍ଦୁଲକରଙ୍କ ୧୦୦ତମ ଶତକ, ବିରାଟ କୋହଲିଙ୍କ ପାକିସ୍ତାନ ବିପକ୍ଷରେ ୮୨ ରନର ଅଭୁଲା ଇନିଂସ, କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ଟି-୨୦ ବିଶ୍ୱକପ ୨୦୨୪ ଫାଇନାଲରେ ଅସାଧାରଣ କ୍ୟାଚ। ଏହି ସମସ୍ତ ମୁହୂର୍ତ୍ତ ଭାରତୀୟ କ୍ରିକେଟ ପ୍ରେମୀଙ୍କ ହୃଦୟରେ ଏକ ଛାପ ଛାଡ଼ିଛି। କିନ୍ତୁ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟରୁ ୨୦୧୧ ବିଶ୍ୱକପ ଫାଇନାଲରେ ଯେଉଁ ବିଜୟୀ ଛକା ମାରିଥିଲେ ତାହା ଆଜି ବି ଲୋକଙ୍କ ମନରେ ଜୀବନ୍ତ ଅଛି।
୨୦୧୧ ବିଶ୍ୱକପ ଫାଇନାଲରେ ଧୋନୀ ଯେଉଁ ବ୍ୟାଟରୁ ଐତିହାସିକ ଛକା ମାରିଥିଲେ କେବଳ ଭାରତକୁ ବିଶ୍ୱକପ ଜିତାଇ ନଥିଲା, ବରଂ ସେହି ବ୍ୟାଟର ମୂଲ୍ୟକୁ ମଧ୍ୟ ଆକାଶଛୁଆଁ କରିଦେଇଛି। ଯେଉଁ ବ୍ୟାଟରୁ ଧୋନୀ ସେହି ବିଜୟୀ ଛକା ମାରିଥିଲେ, ତାହା ନିଲାମରେ ୭୫ ହଜାର ପାଉଣ୍ଡରେ ବିକ୍ରି ହୋଇଛି, ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ ପ୍ରାୟ ୮୭ ଲକ୍ଷ ଟଙ୍କା। ସାଧାରଣତଃ ବଜାରରେ ଏକ କ୍ରିକେଟ ବ୍ୟାଟର ମୂଲ୍ୟ ୪ ରୁ ୫ ହଜାର ଟଙ୍କା ହୋଇଥିବା ବେଳେ, ଧୋନୀଙ୍କ ଏହି ବ୍ୟାଟ ଏକ ଐତିହାସିକ ସମ୍ପତ୍ତି ଭାବେ ଏକ ଅଭୂତପୂର୍ବ ମୂଲ୍ୟ ହାସଲ କରିଛି।
୨୦୧୧ ବିଶ୍ୱକପ ଫାଇନାଲ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ ହରାଇ ୨୭୪ ରନ ସଂଗ୍ରହ କରିଥିଲା। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ଲକ୍ଷ୍ୟକୁ ସଫଳତାର ସହ ହାସଲ କରିଥିଲା। ଏହି ମ୍ୟାଚରେ ଗୌତମ ଗମ୍ଭୀର ୯୭ ରନର ଏକ ଜବରଦସ୍ତ ଇନିଂସ ପାରି ଖେଳିଥିବା ବେଳେ, ଅଧିନାୟକ ଧୋନୀ ୯୧ ରନରେ ଅପରାଜିତ ରହି ମ୍ୟାଚକୁ ଶେଷ କରିଥିଲେ। ତାଙ୍କର ସେହି ଅବିସ୍ମରଣୀୟ ସିକ୍ସର ଭାରତକୁ ୨୮ ବର୍ଷ ପରେ ବିଶ୍ୱକପ ଟ୍ରଫି ଏକ ଅମୂଲ୍ୟ ଉପହାର ଦେଇଥିଲା।
ଏହି ମୁହୂର୍ତ୍ତ କେବଳ କ୍ରିକେଟ ପ୍ରେମୀଙ୍କ ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଏକ ଗର୍ବ ଓ ଆନନ୍ଦର କ୍ଷଣ ଥିଲା। ଧୋନୀଙ୍କ ସେହି ବ୍ୟାଟ ଆଜି ମଧ୍ୟ ଭାରତୀୟ କ୍ରିକେଟ ଇତିହାସର ଏକ ଅମୂଲ୍ୟ ସ୍ମାରକୀ ଭାବେ ରହିଛି।
Comments are closed.