ଭୁବନେଶ୍ୱର: ଓଡିଶାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ବେଳେ ବୁଧବାର ବିରୋଧୀ ବିଜେପି ଏବଂ କଂଗ୍ରେସ ଶିକ୍ଷାଦାନରେ ବ୍ୟାଘାତ ପାଇଁ ରାଜ୍ୟ ସରକାରକୁ ଦାୟୀ କରିଛନ୍ତି। ଆନ୍ଦୋଳନକୁ ତ୍ୱରାନ୍ୱିତ କରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଚାକିରୀ ନିୟମିତ ଓ ଦରମା ବୃଦ୍ଧି ଦାବିରେ ଆନ୍ଦୋଳନରୁ ନଓହରିବାକୁ ନିଷ୍ପତ୍ତି ନେବା ସହ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ମଧ୍ୟ ବିରୋଧୀ ଦଳର ନେତାମାନେ ‘ଉଚିତ’ ବୋଲି କହିଛନ୍ତି।
ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିଜେପି ଦାବି କରିଛି ଯେ ଏହା 5T ନୁହେଁ ବରଂ 5D ଅଟେ କାରଣ ସରକାର ଏହାର ଉଦାସୀନ ଆଭିମୁଖ୍ୟ ଯୋଗୁଁ 5 ଦିନ ପରେ ମଧ୍ୟ ଶିକ୍ଷକମାନଙ୍କ ଅଭିଯୋଗର ସମାଧାନ କରିବାରେ ବିଫଳ ହୋଇଛନ୍ତି।
ଶିକ୍ଷକଙ୍କ ଦାବି ନ୍ୟାୟିକ ବୋଲି କହିଛନ୍ତି, ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି, ଗତ 5 ଦିନ ଧରି ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି, କିନ୍ତୁ ସରକାର 5-ଟି ମଡେଲ୍ ଅଫ୍ ଗଭର୍ଣ୍ଣାନ୍ସକୁ ନେଇ ବଡ଼ ବଡ଼ ଦାବି କରିବା ସତ୍ତ୍ୱେ ସେମାନଙ୍କ ଅଭିଯୋଗର ସମାଧାନ କରିପାରୁନାହାନ୍ତି। ବିଜେପି ନେତା ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଆନ୍ଦୋଳନରତ ଶିକ୍ଷକଙ୍କ ଦାବି ପୂରଣ ପାଇଁ ରାଜ୍ୟ ସରକାର ଅନିଚ୍ଛା ପ୍ରକାଶ କରୁଥିବାରୁ ରାଜ୍ୟର ହଜାର ହଜାର ସ୍କୁଲରେ ପାଠପଢା ବନ୍ଦ ହୋଇଯାଇଛି।
କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସୁପ୍ରିମକୋର୍ଟ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିବା ସମ୍ପର୍କରେ ଉଲ୍ଲେଖ କରି ନରସିଂହ ମିଶ୍ର କହିଛନ୍ତି, ଏଥିପାଇଁ ସ୍ଥାୟୀ ଭିତ୍ତିରେ ଭଲ ଦରମା ସହ ଭଲ ଶିକ୍ଷକ ନିଯୁକ୍ତିର ଆବଶ୍ୟକତା ରହିଛି। ଓଡ଼ିଶାରେ କେତେ ବର୍ଗର ଶିକ୍ଷକ ଅଛନ୍ତି ତାହା ଆକଳନ କରିବା କଷ୍ଟକର ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ସବୁବେଳେ ବଦଳି ଯାଇଥାଏ ବୋଲି ସେ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଦାବିପତ୍ର ତର୍ଜମା କରାଯାଉଥିବାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିବେଦନ କରାଯିବା ପରେ ମଧ୍ୟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଅପିଲ ପରେ ମଙ୍ଗଳବାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଷ୍ଟିଅରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଶିକ୍ଷକମାନଙ୍କ ଦାବିକୁ ତର୍ଜମା କରିବା ପାଇଁ ସରକାର ଏକ 5 ଜଣିଆ ସବ୍ କମିଟି ଗଠନ କରିଛନ୍ତି ବୋଲି ଶିକ୍ଷକମାନଙ୍କୁ ନିବେଦନ କରିଛନ୍ତି। ଏହି ସବ୍ କମିଟି ଦାବିଗୁଡ଼ିକୁ ଅନୁଧ୍ୟାନ କରିବା ପରେ ଆନ୍ତଃମନ୍ତ୍ରଣାଳୟ କମିଟିକୁ ରିପୋର୍ଟ ପ୍ରଦାନ କରିବ ଏବଂ ତା’ପରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
Comments are closed.