Latest Odisha News

ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ହାତେଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ହାତେଇଲେ ପ୍ରଧାନମନ୍ତ୍ରୀ ମୋଦି l ଡୋମିନିକାର ରାଷ୍ଟ୍ରପତି ସିଲ୍ଭେନି ବ୍ରୁଟୋନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଏହି ସମ୍ମାନରେ ସମ୍ମାନିତ କରିଛନ୍ତି l ଆଜି ଗୁୟାନାର ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ଏହି ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ କୋଭିଡ-୧୯ ମହାମାରୀ ସମୟରେ ଡୋମିନିକାକୁ ସମର୍ଥନ କରିବା ଏବଂ ଭାରତ ଓ ଡୋମିନିକା ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ପ୍ରତିବଦ୍ଧତା ପାଇଁ ମୋଦିଙ୍କୁ ସର୍ବୋଚ୍ଚ ଜାତୀୟ ପୁରସ୍କାର – “ଡୋମିନିକା ଆୱାର୍ଡ ଅଫ୍ ଅନର୍” ପ୍ରଦାନ କରିଛନ୍ତି ଡୋମିନିକା ରାଷ୍ଟ୍ରପତି ।

ଡୋମିନିକା ଆୱାର୍ଡ ଅଫ୍ ଅନରରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତର ଲୋକଙ୍କୁ ଏବଂ ଭାରତ ଓ ଡୋମିନିକା ମଧ୍ୟରେ ଥିବା ଗଭୀର ଐତିହାସିକ ତଥା ସାଂସ୍କୃତିକ ସମ୍ପର୍କକୁ ଉତ୍ସର୍ଗ କରିଥିଲେ । ଆସନ୍ତା ବର୍ଷରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ବନ୍ଧ ଅଧିକ ସୁଦୃଢ଼ ଏବଂ ଗଭୀର ହେବ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ମୋଦି । ଆମେ ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଆମେ ଦୁହେଁ ସମଗ୍ର ବିଶ୍ୱ ପାଇଁ ମହିଳା ସଶକ୍ତିକରଣର ଆଦର୍ଶ ଅଟୁ ବୋଲି କହିଥିଲେ ମୋଦି ।

ଏହି ପୁରସ୍କାର ବିତରଣ ଉତ୍ସବରେ ଡୋମିନିକାର ପ୍ରଧାନମନ୍ତ୍ରୀ ଶ୍ରୀ ରୁଜଭେଲ୍ଟ ସ୍କେରିଟ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତାଙ୍କ ସହ ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ ଅଲି, ବାରବାଡୋସ୍ର ପ୍ରଧାନମନ୍ତ୍ରୀ ମିଆ ଅମୋର ମୋଟଲି. ଗ୍ରେନେଡାର ପ୍ରଧାନମନ୍ତ୍ରୀ ଶ୍ରୀ ଡିକ୍କନ ମିସେଲ୍, ସେଣ୍ଟ୍ ଲୁସିଆର ପ୍ରଧାନମନ୍ତ୍ରୀ ଫିଲିପ୍ ଜେ.ପିୟରେ ଏବଂ ଆଣ୍ଟିଗୁଆ ଓ ବାର୍ବୁଡାର ପ୍ରଧାନମନ୍ତ୍ରୀ ଗ୍ୟାସ୍ଟନ୍ ବ୍ରାଉନ ମଧ୍ୟ ଏହି ପୁରସ୍କାର ସମାରୋହରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, କୋଭିଡ-୧୯ ମହାମାରୀ ସମୟରେ ଗତ ଫେବୃୟାରୀ ୨୦୨୧ରେ ପ୍ରଧାନମନ୍ତ୍ରୀ ଡୋମିନିକାକୁ ୭୦ ହଜାର ଡୋଜ୍‌ କରୋନା ଟିକା ଆଷ୍ଟ୍ରାଜେନେକା ଯୋଗାଇ ଦେଇଥିଲେ। କରୋନା ମହାମାରୀ ସମୟରେ ବିଶ୍ୱର ବିଭିନ୍ନ ଦେଶ ସହ ଭାରତ ମଧ୍ୟ ଏହି ମାରାତ୍ମକ ମହାମାରୀ ସହ ସଂଘର୍ଷ କରୁଥିଲା। କିନ୍ତୁ ଏହି ସମୟରେ ମୋଦି ଅନେକ ଦେଶକୁ ସହାୟତା କରିବାକୁ ଆଗେଇ ଆସିଥିଲେ।ଏହି କାର୍ଯ୍ୟକୁ ଦୃଷ୍ଟିରେ ରଖି କମନଓ୍ବେଲଥ୍‌ ଅଫ୍‌ ଡୋମିନିକା ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

 

Leave A Reply

Your email address will not be published.