ନୂଆଦିଲ୍ଲୀ: ଆଇପିଏଲର ୧୯ତମ ସିଜନ ପାଇଁ ପୃଥ୍ୱୀ ଶ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଛନ୍ତିି । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୭୫ ଲକ୍ଷ ଟଙ୍କାରେ ଦଳରେ ନେଇଛି । ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ ହେବ । ଗତ ସଂସ୍କରଣରେ ପୃଥ୍ୱୀ ଅନସୋଲ୍ଡ ରହିଥିଲେ । ୭ଟି ସିଜନ ପରେ ଦିଲ୍ଲୀ ତାଙ୍କୁ ରିଲିଜ କରି ଦେଇଥିଲା । ସେ ସମ୍ପୂର୍ଣ୍ଣ ଭାବେ ନିରାଶ ହୋଇ ପଡିଥିଲେ । ୨୦୨୬ ନିଲାମର ଆରମ୍ଭରେ ମଧ୍ୟ ତାଙ୍କ ପ୍ରତି ଫ୍ରାଂଚାଇଜରମାନେ ଆଗ୍ରହ ପ୍ରକାଶ କରି ନ ଥିଲେ । ଏକ୍ସିଲେରେଟେଡ ଫେଜରେ ତାଙ୍କୁ ଦିଲ୍ଲୀ ୭୫ ଲକ୍ଷରେ ଦଳରେ ସାମିଲ କରିଥିଲା । ଦିଲ୍ଲୀ ଟିମ ସୋସିଆଲ ମିଡିଆରେ ଆମ ଖେଳାଳି ଫେରି ଆସିଲା ବୋଲି ଲେଖିଥିଲା ।
ଏକ ଭିଡିଓ ଶେୟାର କରି ଲେଖାଯାଇଛି ଯେ, କୋଟଲାକୁ ଆପଣମାନେ ଭୁଲି ପାରିବେନି । ଏଠାକାର ଶବ୍ଦ କିମ୍ବା ନୀରବତା ମଧ୍ୟ ମନରୁ ଯାଏନି । କିଛି କାହାଣୀର ଅନ୍ତ ନ ଥାଏ । ଏହା ପ୍ରତ୍ୟାବର୍ତନ କରିଥାଏ । ଦିଲ୍ଲୀ ତୁମର ପ୍ରିୟ ଫେରି ଆସିଛି । ପୃଥ୍ୱୀଙ୍କ ନେତୃତ୍ୱରେ ୨୦୧୮ରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଟାଇଟଲ ହାସଲ କରିଥିଲା । ଏହା ପରେ ତାଙ୍କୁ ଦିଲ୍ଲୀ ୧.୨ କୋଟି ଟଙ୍କାରେ କିଣିଥିଲା । କ୍ରମାଗତ ୭ଟି ସିଜନ ସେ ଦିଲ୍ଲୀ ପକ୍ଷରୁ ଖେଳିଥିଲେ । ୭୯ ମ୍ୟାଚରେ ୧୮୯୨ ରନ ସଂଗ୍ରହ କରିଥିଲେ । ଦିଲ୍ଲୀ ଆଇପିଏଲ ଟାଇଟଲ ହାସଲ କରିନି । ଏଥର ନୂଆ ଇତିହାସ ରଚିବା ଲକ୍ଷ୍ୟରେ ଟିମ ରହିଛି । ଏପ୍ରିଲ ୧ରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷରେ ଦିଲ୍ଲୀ ଅଭିଯାନ ଆରମ୍ଭ କରିବ ।