ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ନିର୍ବାଚନ ପ୍ରଚାର ପାଇଁ ପ୍ରମୁଖ ଚେହେରା କରିବାକୁ ବଡ଼ ଯୋଜନା କରିଛି। ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ପ୍ରମୁଖ ରାଜ୍ୟର ନିର୍ବାଚନରେ ପ୍ରିୟଙ୍କା ଆଗ୍ରେସିଭ ପ୍ରଚାର କରିବେ।
କର୍ଣ୍ଣାଟକ ନିର୍ବାଚନରେ ବଡ଼ ବିଜୟ ପାଇଁ ପ୍ରିୟଙ୍କାଙ୍କ ଦମଦାର ପ୍ରଚାର ଏକ କାରଣ ବୋଲି କୁହାଯାଉଛି। ତେଣୁ ଆଗକୁ ଦଳ ପ୍ରିୟଙ୍କାଙ୍କୁ ପ୍ରଚାରର ଏକ ବଡ଼ ଚେହେରା କରିବାକୁ ଦଳ ଯୋଜନା କରିଛି। ଏପରିକି ତେଲେଙ୍ଗାନାରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି।
କିଛି ଦିନ ତଳେ ତେଲେଙ୍ଗାନାରେ ପ୍ରିୟଙ୍କା ଗାନ୍ଧୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାସକ ବିଆରଏସ ଉପରେ ଜୋରଦାର ବର୍ଷିଥିଲେ। ତେଣୁ ମଧ୍ୟପ୍ରଦେଶରେ ଆସନ୍ତା ଜୁନ ୧୨ ତାରିଖରୁ ପ୍ରିୟଙ୍କା ଗାନ୍ଧୀ ପ୍ରଚାର ଆରମ୍ଭ କରିବେ।
ଜବଲପୁରରେ ପ୍ରିୟଙ୍କା ଏକ ବଡ଼ ରୋଡ଼ଶୋ ଓ ରାଲି କରିବେ। ମଧ୍ୟପ୍ରଦେଶର ଜୀବନଧାରା କୁହାଯାଉଥିବା ନମ୍ରଦା ନଦୀ ନିକଟରେ ପ୍ରାର୍ଥନା କରି ପ୍ରିୟଙ୍କା କାର୍ଯ୍ୟକ୍ରମ ଆରମ୍ଭ କରିବେ। ମଧ୍ୟପ୍ରଦେଶରେ ନିର୍ବାଚନ ଥିବାରୁ କଂଗ୍ରେସ ସେଠାରେ ସବୁଠୁ ଅଧିକ ଫୋକସ କରୁଛି।
ମଧ୍ୟପ୍ରଦେଶ ଜବଲପୁର ମହାକୋଶଳ ଅଞ୍ଚଳର ବଡ଼ ସହର ଭାବେ ଜଣାଶୁଣା। ଯେଉଁଠି କଂଗ୍ରେସ ୨୦୧୮ ନିର୍ବାଚନରେ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ୧୩ ଟି ସିଟ ମଧ୍ୟରୁ ୧୧ ଟି ସିଟ ଜିତିଥିଲା। ବିଜେପି ମାତ୍ର ୨ ଟି ସିଟ ଜିତିବାକୁ ସମର୍ଥ ହୋଇଥିଲା। ତେଣୁ ସେଠାରେ ପ୍ରିୟଙ୍କା ଜୋରଦାର ପ୍ରଚାର କରିବେ।
ଜୁନ ୧୨ ତାରିଖରେ ପ୍ରିୟଙ୍କା ପ୍ରଥମେ ଗ୍ବାରିଘାଟରେ ନମ୍ରଦା ପୂଜା ଆରମ୍ଭ କରିବା ସହ ତା ପରେ ସେଠାରୁ ରୋଡ଼ ସୋ ଆରମ୍ଭ କରିବେ। ତା ପରେ ଏକ ଜନସଭାକୁ ସମ୍ବୋଧିତ କରିବେ ପ୍ରିୟଙ୍କା।
ଆଗାମୀ ନିର୍ବାଚନ ପାଇଁ ପ୍ରିୟଙ୍କା ଦଳର ପ୍ରଚାର ଆରମ୍ଭ କରିବା ସହ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ୨୦୨୩ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି। ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ପ୍ରିୟଙ୍କାଙ୍କ ନିର୍ବାଚନ ପ୍ରଚାର କଂଗ୍ରେସକୁ ବଡ଼ ବିଜୟ ଦେଇଛି।
ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ପ୍ରଚାର ଯୋଡିକୁ ଲୋକେ ପସନ୍ଦ କରୁଥିବା ଦେଖାଯାଇଛି। ତେଣୁ ଦଳ ପ୍ରିୟଙ୍କାଙ୍କ ପ୍ରଚାରକୁ ବେଶ ଗୁରୁତ୍ୱ ଦେଉଛି। ତେଣୁ ଜବଲପୁରରେ ପ୍ରିୟଙ୍କା ପ୍ରାୟ ଦୁଇ କିଲୋମିଟର ରୋଡ଼ ଶୋ କରିବାକୁ ଥିବାବେଳେ ଜନସଭାରେ ଦେଢ଼ରୁ ଦୁଇ ଲକ୍ଷ ଲୋକ ଯୋଗଦେବେ ବୋଲି କଂଗ୍ରେସ ପକ୍ଷରୁ ଆକଳନ କରାଯାଇଛି।
ଏପରିକି ମଧ୍ୟପ୍ରଦେଶର ମହାକୋଶଳ ଅଞ୍ଚଳ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରୁ ବାଦ ପଡ଼ିଥିବାରୁ ସେଠାରେ ପ୍ରିୟଙ୍କା ଏଭଳି ବଡ଼ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଛନ୍ତି। ମହାକୋଶଳରେ ପ୍ରିୟଙ୍କାଙ୍କ ରାଲି ଓ ରୋଡ଼ଶୋ ପଡୋଶୀ ବିନ୍ଧ ଓ ବୁନ୍ଦେଲଖଣ୍ଡ ଅଞ୍ଚଳର ଲୋକେ ଓ ଦଳୀୟ କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିବ ବୋଲି କଂଗ୍ରେସ ଆଶା ରଖିଛି।
ମହାକୋଶଳ ଅଞ୍ଚଳରେ ଆଠଟି ଜିଲ୍ଲା ରହୁଥିବା ବେଳେ ଗତ ନିର୍ବାଚନ ରେ କଂଗ୍ରେସ ୩୮ ଟି ସିଟ ମଧ୍ୟରୁ ୨୪ ଟିରେ ଜିତିଥିଲା। ବିଜେପି ୧୩ ଟି ସିଟରେ ଜିତିଥିଲା। ତେଣୁ ମଧ୍ୟପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀଙ୍କ ଗ୍ରାଣ୍ଡ ଏଣ୍ଟ୍ରି କରାଇ ଦଳ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବାକୁ ବଡ଼ ପ୍ଲାନ କରିଛି।
Comments are closed.