ବିଲାସପୁର: ୧୨ ଲକ୍ଷ ଦେବାକୁ କହି ୩୯ ହଜାର ଟଙ୍କାର କୁକୁଡା ଖାଇଗଲେ। ଛତିଶଗଡର ବିଲାସପୁର ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ କୁକୁଡ଼ା ଫାର୍ମ ପରିଚାଳକ ଏସବିଆଇ ବ୍ୟାଙ୍କର ମ୍ୟାନେଜରଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି।
ଉକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ୧୨ ଲକ୍ଷ ଋଣ କରାଇଦେବାକୁ କହି ବ୍ୟାଙ୍କ ମ୍ୟାନେଜର ଏବଂ କର୍ମଚାରୀମାନେ ପ୍ରତ୍ୟେକ ଶନିବାର ଦିନ ଏକ ପାର୍ଟି କରି ମୋଟ ୩୯ ହଜାର ମୂଲ୍ୟର ଚିକେନ୍ ଖାଇ ଦେଇଛନ୍ତି। ଏହା ସତ୍ତ୍ବେ ଋଣ ଦିଆଗଲା ନାହିଁ କିମ୍ବା କୁକୁଡ଼ା ବାବଦକୁ ଟଙ୍କା ଫେରସ୍ତ କଲେ ନାହିଁ। ଏନେଇ ପୀଡିତ ଜଣକ ଏସଡିଏମ ନିକଟରେ ଅଭିଯୋଗ କରିଛନ୍ତି ଏବଂ ଯଦି ନ୍ୟାୟ ନପାଆନ୍ତି ତେବେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ମଧ୍ଯ ଦେଇଛନ୍ତି।
ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ବିଲାସପୁରର ମସ୍ତୁରୀ ଅଞ୍ଚଳର ସରଗୱାନ ଗ୍ରାମ ନିବାସୀ ରୂପଚାନ୍ଦ ମନହର। ସେ ଅଭିଯୋଗରେ କହିଛନ୍ତି ଯେ କୁକୁଡ଼ା ଚାଷ ପାଇଁ ଏସବିଆଇ ବ୍ୟାଙ୍କ ମସ୍ତୁରୀ ଶାଖାରେ ୧୨ ଲକ୍ଷ ଋଣ ପାଇଁ ଆବେଦନ କରିଛନ୍ତି। ଋଣ ଅନୁମୋଦନ ପାଇଁ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ୧୦% କମିଶନ ଦାବି କରିଛନ୍ତି। ଯାହାକୁ କୁକୁଡ଼ା ବିକ୍ରି କରି ପୂରଣ କରିଥିଲେ ବି ଋଣ ଦେଲେ ନାହିଁ। ସେ ଆହୁରି କହିଛନ୍ତି ଯେ ତାଙ୍କ ପାଖରେ କୁକୁଡା ପାର୍ଟିର ସମସ୍ତ ବିଲ୍ ଅଛି।
ଯଦି ସେ ନ୍ୟାୟ ନ ପାଆନ୍ତି ତେବେ ସେ କୀଟନାଶକ ପିଇ ନଚେତ୍ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ। ତେବେ ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
Comments are closed.