Latest Odisha News

BREAKING NEWS

ମର୍ଦ୍ଦଳ ବାଦନକୁ ପ୍ରୋତ୍ସାହିତ କରିବା ମୋର ଏକମାତ୍ର ଲକ୍ଷ୍ୟ : ଗୁରୁ ଧନେଶ୍ୱର ସ୍ୱାଇଁ

ମର୍ଦ୍ଦଳ ହେଉଛି ଓଡ଼ିଶାର ପ୍ରାଚୀନ ତଥା ସ୍ୱଦେଶୀ ବାଦ୍ୟଯନ୍ତ୍ର । ଏହା ଓଡ଼ିଶା ସଙ୍ଗୀତ ଏବଂ ନୃତ୍ୟ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ ବିଡମ୍ବନାର ବିଷୟ ଯେ, ଏହା ଅନେକ ଦଶନ୍ଧି ଧରି ଏହାକୁ ସାଧନାର ଏକ ବାଦ୍ୟଯନ୍ତ୍ର ଭାବରେ ବ୍ୟବହାର କରାଯାଉ ନଥିବା ବେଳେ ଅନ୍ୟ ସାଥୀମାନେ ପଖୱାଜ,ମୃଦଙ୍ଗ ଏବଂ ତବଲା ଭଳି ସ୍ୱାଧୀନ ବାଦ୍ୟଯନ୍ତ୍ରକୁ ନେଇ ବେଶ୍ ପ୍ରତିଷ୍ଠିତ ହୋଇଥିଲେ ।

ଡେରିରେ ହେଲେ ବି ମର୍ଦ୍ଦଳ ଆଜି ବିଶ୍ୱସ୍ତରୀୟ ମାନ୍ୟତା ପାଇଛି । ଏହାର ଶ୍ରେୟ ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯିବ । ସେମାନେ ହେଲେ ସ୍ୱର୍ଗତଃ ଗୁରୁ ବନମାଳୀ ମହାରଣା ଏବଂ ତାଙ୍କର ଶିଷ୍ୟ ଧନେଶ୍ୱର ସ୍ୱାଇଁ ଓ ସଚ୍ଚିଦାନନ୍ଦ ଦାସ । ଏହି ଶିଷ୍ୟମାନେ ଏବେ ଜଣେ ଜଣେ ପ୍ରତିଷ୍ଠିତ ମର୍ଦ୍ଦଳ ଗୁରୁ ।

ସ୍ବର୍ଗତଃ ଗୁରୁ ବନମାଳୀ ପରିଡ଼ାଙ୍କ ପରେ ତାଙ୍କ ଶିଷ୍ୟ ଧନେଶ୍ୱର ସ୍ୱାଇଁ ଦ୍ଵିତୀୟ ବ୍ୟକ୍ତି ଭାବରେ ସମ୍ମାନଜନକ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି ।

ଜଣେ ଉଚ୍ଚକୋଟୀର ମର୍ଦ୍ଦଳ ବାଦକ, ଗୀତ ରଚନା, ପ୍ରଶିକ୍ଷକ ଏବଂ ଗବେଷକ ଭାବରେ ସେ ମର୍ଦ୍ଦଳ ଏକାଡେମୀ ଏବଂ ଭୁବନେଶ୍ୱର ବିଦ୍ୟା ବାଣୀ ଗୁରୁକୁଳ ଆନୁକୂଲ୍ୟରେ ନେଇଥିବା ଅନେକ ପଦକ୍ଷେପ ମାଧ୍ୟମରେ ମର୍ଦ୍ଦଳକୁ ଏକକ ବାଦ୍ୟଯନ୍ତ୍ର ଭାବରେ ପ୍ରତିଷ୍ଠିତ ତଥା ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର କରିଛନ୍ତି ବରିଷ୍ଠ ସାମ୍ବାଦିକ ଶ୍ୟାମହରି ଚକ୍ର

ପ୍ରଶ୍ନ- ମର୍ଦ୍ଦଳର ପରମ୍ପରା କେତେ ପୁରୁଣା?

ଉତ୍ତର : ପୁରୀର ଜଗନ୍ନାଥ ମନ୍ଦିରର ପରମ୍ପରା ପରି ଏହା ପୁରାତନ । ଜଗନ୍ନାଥ ମନ୍ଦିରରେ ମାଦେଳି ନାମକ ଏକ ସ୍ୱତନ୍ତ୍ର ସେବା ଅଛି ଯାହା ମର୍ଦ୍ଦଳ ବାଦକ ହିଁ କରିଥାନ୍ତି । ପୁରୀ ଆଖପାଖ ଅଂଚଳରେ ବହୁ ବ୍ୟକ୍ତି ମର୍ଦ୍ଦଳ ବାଦକ ଥାନ୍ତି । ଏହି ବାଦ୍ୟଟି ଓଡ଼ିଶୀ ସଙ୍ଗୀତ ଏବଂ ନୃତ୍ୟ ପରମ୍ପରା ବ୍ୟତୀତ ପୁରୀର ପୁରାତନ ମାହାରୀ, ଗୋଟିପୁଅ ଏବଂ ସାହିଜାତ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ।

ପ୍ରଶ୍ନ- ଆପଣ ଜଣେ ମର୍ଦ୍ଦଳ ବାଦକ ହେବାକୁ କାହିଁକି ଇଚ୍ଛା କଲେ?

ଉତ୍ତର : ମୁଁ ପୁରୀ ଜିଲ୍ଲାର ନିମାପଡ଼ା ନିକଟସ୍ଥ ନହନ୍ତରା ଗାଁରେ ଜନ୍ମ ହୋଇଥିଲି । ପିଲାଦିନେ ମୁଁ ସଙ୍ଗୀତ ଏବଂ ଅଭିନୟକୁ ଭଲ ପାଉଥିଲି। ଆମ ଗାଁରେ ମଞ୍ଚସ୍ଥ ହେଉଥିବା ନାଟକରେ ମୁଁ ନିୟମିତ ଗୀତ ଗାଉଥିଲି ଏବଂ ବେଳେବେଳେ ଅଭିନୟ ମଧ୍ୟ କରୁଥିଲି ।

ଗାଁ ଭାଗବତ ଟୁଙ୍ଗିରେ ମୁଁ ମର୍ଦ୍ଦଳ ବାଦନ ଦେଖୁଥିଲି । ମୋର ଜଣେ ସମ୍ପର୍କୀୟ ଭାଇ ଟୁଙ୍ଗିରେ ମର୍ଦ୍ଦଳ ବଜାଉଥିବା ବେଳେ ଏହାର ଧ୍ୱନି ମୋତେ ଆକର୍ଷିତ କରିଥିଲା । ସେବେଠାରୁ ମୁଁ ଜଣେ ମର୍ଦ୍ଦଳ ବାଦକ ହେବାକୁ ଇଚ୍ଛା କରିଥିଲି ।

ପ୍ରଶ୍ନ- ଆପଣ ଜଣେ ମର୍ଦ୍ଦଳ କଳାକାର ହେବାର ନିଷ୍ପତ୍ତିକୁ ପରିବାର ଲୋକେ ସମର୍ଥନ କରିଛନ୍ତି କି ?

ଉତ୍ତର : ମୁଁ ପାରମ୍ପରିକ କଳାକାରଙ୍କ ପରିବାରରୁ ଆସିନାହିଁ । କିନ୍ତୁ ମୋ ବାପା ସାଂସ୍କୃତିକ କାର‌୍ୟ୍ୟକ୍ରମକୁ ବହୁତ ଭଲ ପାଉଥିଲେ ଏବଂ କଳାର ପୃଷ୍ଠପୋଷକ ମଧ୍ୟ ଥିଲେ। ଏପରିକି ସେ ଆମ ଗାଁରେ ମଞ୍ଚସ୍ଥ ହେଉଥିବା ନାଟକରେ ଅଭିନୟ କରିଥିଲେ।
ତଥାପି, ମୋ ବାପାଙ୍କର ଇଚ୍ଛା ଥିଲା ତାଙ୍କ ପିଲାମାନଙ୍କର ଉଚ୍ଚଶିକ୍ଷା ଗ୍ରହଣ କରନ୍ତୁ । ମାଟ୍ରିକ ପାସ କରିବା ପରେ ମୁଁ ଅଧିକ ପାଠ ପଢେ ତାହା ତାଙ୍କର ଇଚ୍ଛା ଥିଲା ।

ଯେତେବେଳେ ମୁଁ ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମର୍ଦ୍ଦଳ ଅଧ୍ୟୟନ କରିବାକୁ ସ୍ଥିର କଲି । ସେତେବେଳେ ସେ ମୋ ଭବିଷ୍ୟତ ନେଇ ସନ୍ଦେହରେ ଥିଲେ । କିନ୍ତୁ ସେ ମୋତେ ମୋ ପସନ୍ଦ ସହିତ ଆଗକୁ ଯିବାକୁ ବାରଣ କରି ନଥିଲେ ।

ପ୍ରଶ୍ନ- ଉତ୍କଳ ସଂଗୀତ ମହାବିଦ୍ୟାଳୟ ଆପଣଙ୍କର ଭବିଷ୍ୟତକୁ କିପରି ଗଢିଲା ?

ଉତ୍ତର : ଅନେକ ଆର୍ଥିକ ଅସୁବିଧା ମଧ୍ୟରେ ଭୁବନେଶ୍ୱରରେ ଛାତ୍ର ଭାବରେ ସାତ ବର୍ଷର ସଂଘର୍ଷରେ ବହୁ କଷ୍ଟ ଭୋଗିବାକୁ ପଡିଲା। ଏଠାରେ ମୋର ପ୍ରଖ୍ୟାତ ଗୁରୁ ସିଂହାରି ଶ୍ୟାମ ସୁନ୍ଦର କର, ମହାଦେବ ରାଉତ ଏବଂ ବନମାଳି ମହାରଣା ପରି ପ୍ରଦର୍ଶକମାନଙ୍କ ଅଧୀନରେ ଶିକ୍ଷା ପ୍ରାପ୍ତ କରିବେ ସୌଭାଗ୍ୟ ମିଳିଥିଲା ।

ମର୍ଦ୍ଦଳ ବିଭାଗରେ ୧୨ ଜଣ ଛାତ୍ର ନାମ ଲେଖାଇଥିବାବେଳେ ଆମ ମଧ୍ୟରୁ କେବଳ ଦୁଇଜଣ ମହାବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ କରିପାରିଥିଲୁ। ଏହି ସଫଳତା ହିଁ ମୋ ପିଢୀର ବହୁ ସଂଘର୍ଷରତ ଯୁବ କଳାକାରଙ୍କ ମଧ୍ୟରେ ମୋତେ ଏକ ନୂଆ ପରିଚୟ ଦେଇଥିଲା ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ସେତେବେଳେ ଏକ ଗୌରବମୟ ଅନୁଷ୍ଠାନ ଥିଲା । ସେତେବେଳେ ୧୪ଟି ବିଭାଗ ସହିତ ହିନ୍ଦୁସ୍ତାନୀ, କର୍ଣ୍ଣାଟିକୀ, ଏବଂ ଓଡ଼ିଶୀ ସଂଗୀତର ଧାରା ଅନ୍ତର୍ଭୁକ୍ତ ଥିଲା । ଓଡ଼ିଶୀ ନୃତ୍ୟ ଏବଂ ନାଟକ ବିଭାଗ ବ୍ୟତୀତ ଉଭୟ କଣ୍ଠସ୍ୱର ଏବଂ ବାଦ୍ୟଯନ୍ତ୍ର ବିଭାଗ ଥିଲା । ତେଣୁ, ସଙ୍ଗୀତ, ନୃତ୍ୟ ଏବଂ ନାଟକର ବିଭିନ୍ନ କ୍ଷେତ୍ରରୁ ବହୁ ପ୍ରତିଭାଙ୍କ ବ୍ୟତୀତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଆମ ପଥ ପ୍ରଦର୍ଶକ ଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଭବିଷ୍ୟତରେ ସେମାନଙ୍କ କ୍ଷେତ୍ରର ମହାନ ଗୁରୁ ହୋଇଥିଲେ ଏହିପରି ପରିବେଶରେ ବଢିବା ଜଣେ କଳାକାର ଭାବରେ ମୋର କ୍ୟାରିୟର ପାଇଁ ଏକ ସୁଦୃଢ ମୂଳଦୁଆ ପକାଇଥିଲା।

ପ୍ରଶ୍ନ-ଆପଣ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ୩୦ ବର୍ଷ ଧରି ଅଧ୍ୟାପକ ଭାବରେ କାମ କରିଛନ୍ତି । ସେ ସମୟର ଅନୁଭୂତି ଓ ଅଭିଜ୍ଞତା କିପରି ଥିଲା ?

ଉତ୍ତର : ମୁଁ ପୂର୍ବରୁ କହିସାରିଛି, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଏକ ମହାନ ଗୌରବମୟ ଅନୁଷ୍ଠାନ । ମୁଁ ଏଠାରେ ପଢିବା ଏବଂ ପରେ ଅଧ୍ୟାପିକ ହେବାର ସୌଭାଗ୍ୟ ପାଇଲି । ଏହି ଅଭିଜ୍ଞତା ମୋ ପାଇଁ ଏବଂ ମର୍ଦ୍ଦଳ ପରମ୍ପରା ପାଇଁ ବିଶେଷ ସହାୟକ ହେଲା ।

ଯେହେତୁ ମୁଁ ମୂଳ ପରମ୍ପରା ସହ ଯୋଡ଼ି ହୋଇଥିଲି, ମୁଁ ଦେଖିପାରୁଥିଲି ଯେ ଅନୁଷ୍ଠାନରେ ଆମର ଶିକ୍ଷାଦାନ ଶୈଳୀ ଉପରେ ହିନ୍ଦୁସ୍ତାନୀ ସଂଗୀତର ବିଭିନ୍ନ ଢାଞ୍ଚା , ବିଶେଷ ଭାବରେ ତବଲା ଉପରେ ଅତ୍ୟଧିକ ପ୍ରଭାବ ପଡିଛି। ତେଣୁ ମୁଁ ମର୍ଦ୍ଦଳ ବାଦନ ଏବଂ ଶିକ୍ଷାଦାନର କିଛି ଦିଗକୁ ପୁନଃ ନିର୍ଦ୍ଧିଷ୍ଟ କରିବାକୁ ଚେଷ୍ଟା କଲି। ଯେପରି ସାଧାରଣ ଓଡ଼ିଶୀ ସଙ୍ଗୀତରେ ଗାଁ ମାନଙ୍କରେ ପ୍ରଚଳିତ ମର୍ଦ୍ଦଳର ଶୈଳୀକୁ ଯୋଡ଼ିବାକୁ ଚେଷ୍ଟା କଲି ।

ଆରମ୍ଭରେ, ମୋର ଏହି ପଦକ୍ଷେପକୁ ଅନେକ ଗ୍ରହଣ କରିପାରୁ ନ ଥିଲେ । କିନ୍ତୁ ମୁଁ ମୋର ବିଶ୍ୱାସ ଉପରେ ବିଶ୍ୱାସ କଲି ଏବଂ ଓଡିଶାର ସ୍ୱଦେଶୀ ପରକ୍ୟୁସନ ପରମ୍ପରା ଅନୁଯାୟୀ ଏକ ସଂପୂର୍ଣ୍ଣ କୋଡିଫିକେସନ୍, ବ୍ୟାକରଣ ଏବଂ ଶବ୍ଦର ବିକାଶ କରିବାକୁ ଲାଗିଲି।

ମୋର ସହକର୍ମୀ ସଚ୍ଚିଦାନନ୍ଦ ଦାସ ମୋର ନିରନ୍ତର ସହଯୋଗୀ ଥିଲେ । ଯିଏ ମୋ ଉପରେ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ । ତାଙ୍କ ସହିତ, ଆମେ ମର୍ଦ୍ଦଳକୁ ଏକକ ନିଦର୍ଶନ ଭାବରେ ସ୍ୱତନ୍ତ୍ର କରିବାରେ ସଫଳ ହେଲୁ ।

ପ୍ରଶ୍ନ- କେବେ ଏବଂ କିପରି ଭାବରେ ମର୍ଦ୍ଦଳ ଏକ ସ୍ୱାଧୀନ ବାଦ୍ୟଯନ୍ତ୍ର ଭାବେ ପରିବେଶିତ ହୋଇଥିଲା ?

ଉତ୍ତର : ପ୍ରତିବର୍ଷ ଓଡ଼ିଶୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କୁ କୋଣାର୍କ ଫେଷ୍ଟିଭାଲ ଆୟୋଜନ କରୁଥିଲେ ଆଉ ଏହାର ଶ୍ରେୟ ତାଙ୍କୁ ହିଁ ଯିବ । ସେ ଜଣେ ମହାନ ମର୍ଦ୍ଦଳ ବାଦକ ଏବଂ ଦୂରଦୃଷ୍ଟି ସମ୍ପନ୍ନ କଳାକାର । ୧୯୮୩ ମସିହାରେ ସେ ମୋତେ ଓ ସଚ୍ଚିଦାନନ୍ଦଙ୍କୁ ଏହି ଫେଷ୍ଟିଭାଲରେ ଓଡ଼ିଶୀ ମର୍ଦ୍ଦଳର ଏକ ଯୁଗଳବନ୍ଦୀ ମଞ୍ଚସ୍ଥ କରିବାକୁ କହିଥିଲେ ।

ଭୁବନେଶ୍ୱର ମିଶ୍ର ଏବଂ ଉମେଶ ଚନ୍ଦ୍ର କରଙ୍କ ସମେତ ସଙ୍ଗୀତ ଏବଂ ନୃତ୍ୟର ଅନେକ ବଡ ବଡ ଗୁରୁ ଉପସ୍ଥିତ ଥିବାରୁ ଏହା ଆମ ପାଇଁ ଏକ ଐତିହାସିକ ଘଟଣା ଥିଲା। ଏହା ଅନ୍ୟମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରି ପାରିଲା ଯେ, ମର୍ଦ୍ଦଳର ଏକ ସ୍ୱାଧୀନ ବାଦ୍ୟଯନ୍ତ୍ର ଭାବେ ଉପସ୍ଥାପିତ ହେବାର କ୍ଷମତା ରହିଛି । ଏହା ପରେ ଆମେ ଆଉ ପଛକୁ ଚାହିଁ ନାହୁଁ ଏବଂ ମର୍ଦ୍ଦଳକୁ ଏକକ ବାଦ୍ୟଯନ୍ତ୍ର ଭାବରେ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ସୁଯୋଗ ଖୋଜିଛୁ ।

ପ୍ରଶ୍ନ- ଆପଣ ମର୍ଦ୍ଦଳ ଏକାଡେମୀର ପ୍ରତିଷ୍ଠାତା-ସଚିବ ଥିଲେ । ଏହାର ଲକ୍ଷ୍ୟ କ’ଣ ଥିଲା ଏବଂ ଏହା କେତେ ବାଟ ଆଗେଇ ପାରିଛି ?

ଉତ୍ତର : ୨୦୦୧ ରେ ଏହି ଏକାଡେମୀ ଆରମ୍ଭ ହୋଇଥିବା ବେଳେ ଗୁରୁ ବନମାଳି ମହାରଣା ଏହାର ମୁଖ୍ୟ ଥିଲେ । ଏହାର ଲକ୍ଷ୍ୟ ଥିଲା ବିଶ୍ୱର କୋଣ ଅନୁକୋଣରେ ଥିବା ମର୍ଦ୍ଦଳ ବାଦକଙ୍କୁ ଏକାଠି କରିବା । ଆମେ ଗର୍ବିତ ଯେ, ଦୁନିଆର ସମସ୍ତ ମର୍ଦ୍ଦଳ ବାଦକଙ୍କୁ ଆମେ ଗୋଟିଏ ଛାତ ତଳକୁ ଆଣିପାରିଛୁ । ଗୋଟିଏ ସ୍ଥାନରେ ସମସ୍ତେ ଏକାଠି ହେବା ଦ୍ୱାରା ଆମେ ପରସ୍ପରର ଜ୍ଞାନ ଏବଂ ପାରଦର୍ଶିତା ବାଣ୍ଟିପାରିଛୁ ।

ପ୍ରଶ୍ନ- ଆମେ ଏଯାଏଁ ଜଣେ ହେଲେ ମହିଳା ମର୍ଦ୍ଦଳ ବାଦିକଙ୍କୁ ଦେଖୁ ନାହୁଁ । ମହିଳାମାନେ ମର୍ଦ୍ଦଳ ଶିଖିବା ପାଇଁ ଉପଯୁକ୍ତ ନୁହେଁ କି?

ଉତ୍ତର : ନାରୀମାନଙ୍କ ପାଇଁ ମର୍ଦ୍ଦଳ ଶିଖିବାରେ କୌଣସି ପ୍ରତିବନ୍ଧକ ନାହିଁ । ବାସ୍ତବରେ, ମହିଳା ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ଗୀତର ବିଭନ୍ନ ଢାଞ୍ଚା ଗୁଡ଼ିକୁ ଭଲ ଭାବରେ ବୁଝିବା ପାଇଁ ଏହାକୁ ବେଳେବେଳେ ଶିଖନ୍ତି । କିନ୍ତୁ ନୃତ୍ୟଶିଳ୍ପୀ ହୋଇ, ସେମାନଙ୍କ ମଧ୍ୟରୁ କେହି ଏହାକୁ ଆୟତ୍ତ କରିବାକୁ ଧ୍ୟାନ ଦେଇ ନାହାଁନ୍ତି । ତଥାପି, ଆମର ଗୁରୁ ଙ୍କ(ବନମାଳୀ ମହାରଣା ) ଉଭୟ ନାତୁଣୀଙ୍କୁ ମର୍ଦ୍ଦଳ କଳାକାର ଭାବରେ ପରିଚିତ କରାଇଲେ । ମୋର ମଧ୍ୟ ମୁମ୍ବାଇର ଜଣେ ଶିଷ୍ୟ ଅଛନ୍ତି ଯିଏ ଏକକ କନ୍ସର୍ଟ କରିସାରିଛନ୍ତି ।

Comments are closed.