Latest Odisha News

BREAKING NEWS

ଟାଙ୍ଗରପାଲି: ମାଣ୍ଡିଆ ତିଆରି ଲଡୁ, ହାଲୁଆ, ଖିରି ଓ ସରବତରେ ମହକିଲା ‘ପୁଷ୍ଟିଶସ୍ୟ ଖାଦ୍ୟ ଉତ୍ସବ’ 

ସୁନ୍ଦରଗଡ଼: ମାଣ୍ଡିଆରୁ ତିଆରି ହେଉଛି ଭଳିକି ଭଳି ସୁଆଦିଆ ଖାଦ୍ୟ। ପୁଷ୍ଟିକର ମାଣ୍ଡିଆରୁ ରସଗୋଲା, ଗୋଲାପଜାମୁନ, ବରା, ପକଡ଼ି, ଲଡୁ, କେକ୍, ପିଠା, ହାଲୁଆ, ସରବତ ଆଦି ପ୍ରସ୍ତୁତ ହେଉଛି। ଟାଙ୍ଗରପାଲି ବ୍ଲକରେ ଶୁକ୍ରବାର ଦିନ ଆୟୋଜିତ ‘ପୁଷ୍ଟିଶସ୍ୟ ଖାଦ୍ୟ ଉତ୍ସବ’ରେ ଅତିଥି ଏବଂ ସ୍ଥାନୀୟ ଲୋକ ଏହିସବୁ ଖାଦ୍ୟର ମଜା ନେଇଥିଲେ।

‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ଅଧୀନରେ ଟାଙ୍ଗରପାଲି ବ୍ଲକର ରଙ୍ଗିଆମୁଣ୍ଡାଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବକ ପକ୍ଷରୁ ପୁଷ୍ଟିଶସ୍ୟ ଖାଦ୍ୟ ଉତ୍ସବ ଆୟୋଜନ କରାଯାଇଥିଲା। ଏହାକୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭୈରବ ସିଂ ପଟେଲ ଉଦଘାଟନ କରିଥିଲେ। ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମାଣ୍ଡିଆରୁ ୧୩ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ପରସି ଦେଇଥିଲେ।

‘‘ମାଣ୍ଡିଆରେ ପୋଷଣ ଶକ୍ତି ଭରି ରହିଛି। ଖୁସିର କଥା ଯେ, ଏଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟର ଦିନକୁ ଦିନ ଆଦର ବଢୁଛି। ଜିଲ୍ଲାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ତେଣୁ ମାଣ୍ଡିଆରୁ ନିଜ ପସନ୍ଦ ମୁତାବକ ଖାଦ୍ୟ ପ୍ରସ୍ତୁତ କରି ଲୋକେ ଖାଇ ପାରିବେ। ଏହା ସହ ମାଣ୍ଡିଆରୁ ଖାଦ୍ୟ ପ୍ରସ୍ତୁତ କରି ଜୀବିକା ନିର୍ବାହ କରିବାକୁ ନୂଆ ରାସ୍ତା ଆଜି ଖୋଲି ଯାଇଛି’’, କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭୈରବ ସିଂ ପଟେଲ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ଜଗଦେଶ୍ୱର ବେହେରା, ପାନପୋଷ ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ତାରେଶ୍ୱର ପାଣି, ଡିଏମଏଫର ଜୀବିକା ବିଶେଷଜ୍ଞ ଶ୍ରୀଯୁକ୍ତ ଅଞ୍ଜନ କୁମାର ପଣ୍ଡା ଏବଂ ସେବକ ଅନୁଷ୍ଠାନର ସଭାପତି ଅମୀୟକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ମାଣ୍ଡିଆରୁ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିଥିବା ଲାଗି ମହିଳାମାନଙ୍କୁ ସେମାନେ ପ୍ରଶଂସା କରିଥିଲେ।

ମାଣ୍ଡିଆରୁ ରୁଚିକର ଖାଦ୍ୟ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହିଳାମାନଙ୍କୁ ତାଲିମ ଦିଆଯାଉଛି। ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ମଧ୍ୟ ଏ ବାବଦରେ ତାଲିମ ଦିଆଯାଉଛି।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୮ଟି ବ୍ଲକରେ ମାଣ୍ଡିଆ ଚାଷ କରାଯାଉଛି। ୨୦୧୮ରୁ ୪ଟି ବ୍ଲକରେ ମାଣ୍ଡିଆ ଚାଷ କରାଯାଉଥିଲା। ଚଳିତ ବର୍ଷ ଆଉ ୪ଟି ବ୍ଲକରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଚଳିତ ବର୍ଷ ଜିଲ୍ଲାର ୨୬୪୫ ହେକ୍ଟର ଜମିରେ ୬୩୧୭ ଜଣ ଚାଷୀ ମାଣ୍ଡିଆ ଚାଷ କରୁଛନ୍ତି।

Leave A Reply

Your email address will not be published.