Latest Odisha News

ପୃଥିବୀ ତାତୁଛି…

ବିଲୁପ୍ତି ବିପ୍ଳବ

ପୃଥିବୀ ତାତୁଛି…

ସୁଦର୍ଶନ ଦାସ

ଅଷ୍ଟ୍ରେଲିଆ ଓ ଇଟାଲୀ ସୀମାନ୍ତରେ ଥିବା ଆଲପସ୍ ପର୍ବତମାଳାରେ ସ୍କେଟିଂ କରୁଥିବା ବେଳେ ଦଳେ ଖେଳାଳି ୧୯୯୧ ମସିହାରେ ଗୋଟିଏ ମଣିଷ ଶବକୁ ଆବିଷ୍କାର କଲେ । ଶରୀର ଏବଂ ଜୀବ ବିଜ୍ଞାନୀମାନେ ଜାଣିବାକୁ ପାଇଲେ ଯେ ଏହି ଶବଟି ୫,୦୦୦ ବର୍ଷ ପୂର୍ବର ଏକ ମଣିଷର ଶବ । ବୋଧହୁଏ କୌଣସି ଏକ ବରଫଝଡ଼ରେ କବଳିତ ହୋଇ ଏହି ମଣିଷଟି ବରଫ ଆସ୍ତରଣ ତଳେ ଚାପି ହୋଇ ରହିଥିଲା ଅକ୍ଷତ ଅବସ୍ଥାରେ । ଏବେ ବରଫ ତରଳିବା ଯୋଗୁଁ ସେ ଉଭା ହେଲା ଆମ ସାମ୍ନାରେ । ସେହିପରି ୧୯୯୯ ମସିହାରେ ପଶ୍ଚିମ କାନାଡ଼ାର ୟକୋନ ଅଞ୍ଚଳରୁ ଆଉ ଏକ ମଣିଷର ଶବକୁ ମଧ୍ୟ ଆବିଷ୍କାର କରାଯାଇଥିଲା । ତୁଷାର ପାହାଡ଼ ତଳୁ ଏହାକୁ ଦେଖି ଆମେରିକାର ପରିବେଶବିତ୍ ଲେଜର୍ ଆର୍ ବ୍ରାଉନ ଲେଖିଲେ “ତୁଷାର ତଳୁ ଆମ ପୂର୍ବପୁରୁଷ ମାନଙ୍କର ଆବିର୍ଭାବ ଏହି ସନ୍ଦେଶ ଦେଉଛି ଯେ, ଏ ପୃଥିବୀ ତାତୁଛି ।”

ଯେତେ ପର୍ଯ୍ୟନ୍ତ କୃଷି ହିଁ ଥିଲା ମଣିଷର ବଞ୍ଚିବାର ଏକମାତ୍ର ମାଧ୍ୟମ, ସେତେ ପର୍ଯ୍ୟନ୍ତ ପୃଥିବୀର ତାପମାତ୍ରା ଖୁବ୍ ସ୍ଥିର ଥିଲା । କିନ୍ତୁ ୧୭୬୦ ମସିହାର ଶିଳ୍ପ ବିପ୍ଳବ ପରଠୁ ଅହେତୁକ ଭାବରେ ପୃଥିବୀର ତାପମାତ୍ରା ବୃଦ୍ଧି ପାଇ ଚାଲିଲା । ବର୍ତ୍ତମାନ ପୃଥିବୀର ହାରାହାରି ତାପମାତ୍ରା ୧୪.୪୪ ଡିଗ୍ରୀ ସେଲସିୟସ । ୧୯୬୯-୭୧ ମସିହାରେ ଏହାଥିଲା ୧୩.୯୯ ଡିଗ୍ରୀ ସେଲସିୟସ । ଅର୍ଥାତ୍ ବିଗତ ୫୦ ବର୍ଷ ଭିତରେ ୦.୪୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି । ପୃଥିବୀର ଏହି ତାପମାତ୍ରା ବୃଦ୍ଧି ହିଁ ଏବେ ମଣିଷ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ୧୯୮୦ ପରଠୁ ଉତ୍ତପ୍ତ ବର୍ଷ ଗୁଡ଼ିକର ସଂଖ୍ୟା କେବଳ ବଢିନାହିଁ ଏବେ ପ୍ରତିଟି ବର୍ଷ ତା’ର ପୂର୍ବବର୍ଷ ତାପମାତ୍ରାକୁ ଅତିକ୍ରମ କରୁଛି । ପୃଥିବୀ ତାତିବା ଆଉ ଏକ ଆଶଙ୍କା ହୋଇ ରହିନାହିଁ, ଏକ ବାସ୍ତବତାରେ ପରିଣତ ହୋଇ ସାରିଲାଣି ।

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ସାନ୍ଧ୍ରତା ବୃଦ୍ଧି ପୃଥିବୀ ତାପମାତ୍ରା ବୃଦ୍ଧିର ମୂଳ କାରଣ । ଅଙ୍ଗାରକାମ୍ଳ ଗ୍ୟାସ ଉତ୍ପତି ହେଉଛି ଏହାର ମୂଖ୍ୟ କାରଣ । ଗୋଟିଏ ହେଉଛି ଜୀବାଷ୍ମର ଜ୍ୱଳନ ଓ ଅନ୍ୟଟି ହେଲା ଜଙ୍ଗଲ ଧ୍ୱଂସ । କୋଇଲା, ତେଲ, ଗ୍ୟାସ ଇତ୍ୟାଦି ଜୀବାଷ୍ମରୁ ଉତ୍ପତ୍ତି ଏବଂ ଏହାର ଜ୍ୱଳନ ଦ୍ୱାରା ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ଶିଳ୍ପ ବିପ୍ଳବ ପର୍ଯ୍ୟନ୍ତ ଜୀବାଷ୍ମ ଜ୍ୱଳନର ପ୍ରକ୍ରିୟା ଥିଲା ଖୁବ୍ ନଗଣ୍ୟ ଏବଂ ତାପମାତ୍ରା ବୃଦ୍ଧି ମଧ୍ୟ । କିନ୍ତୁ ତା’ପରଠୁ ଏହାର ବୃଦ୍ଧି ଘଟିଲା ୧୯୫୦ ମସିହା ବେଳକୁ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତର ପରିମାଣ ଥିଲା ୧.୬ ବିଲିୟନ୍ ଟନ୍ । ୨୦୦୦ ମସିହା ବେଳକୁ ଏହା ୪ ଗୁଣ ବୃଦ୍ଧି ପାଇ ୬.୩ ବିଲିୟନ ଟନରେ ପହଞ୍ଚିଲା । ପୃଥିବୀର ସବୁଜିମା ଏହାଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଛି ଏବଂ ଏଥି ପାଇଁ ପୃଥିବୀ ତାତୁଛି ।

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ସାନ୍ଧ୍ରତା ବୃଦ୍ଧି ଅତ୍ୟନ୍ତ ବିପଦଜନକ ଭାବରେ ବୃଦ୍ଧି ପାଉଛି ମଣିଷର ଅର୍ଥନୈତିକ ବିକାଶର ତାଳେ ତାଳେ । ଶିଳ୍ପ ବିପ୍ଳବର ଆରମ୍ଭ ସମୟରେ (୧୭୬୦) ପ୍ରତି ଏକ ନିୟୁତ କଣିକାରେ ଅଙ୍ଗାରକାମ୍ଳ ଗ୍ୟାସର ସାନ୍ଧ୍ରତା ଥିଲା ୨୮୦ । ୨୦୦୦ ମସିହା ବେଳକୁ ଏହା ୩୨ ଗୁଣ ବଢିଲା ଏବଂ ପହଞ୍ଚିଲା ୩୭୦ରେ । ୧୭୬୦ରୁ ୧୯୬୦ ଅର୍ଥାତ୍ ୨ ଶହ ବର୍ଷ ଭିତରେ ଏହି ସାନ୍ଧ୍ରତା ୩୬ ଗୁଣ ବଢିଥିବା ବେଳେ ୧୯୬୦ରୁ ୨୦୦୦ – ଅର୍ଥାତ ୪୦ ବର୍ଷ ଭିତରେ ତାହା ୫୪ ଗୁଣ ବୃଦ୍ଧି ପାଇଲା । କଳକାରଖାନା ଯାନବାହନ ଆମର ଜୀବନ ଜୈଳୀ ଇତ୍ୟାଦିରେ ବ୍ୟାପକ ଅଗ୍ରଗତି ହିଁ ହେଉଛି ଏହାର କାରଣ ।

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ସାନ୍ଧ୍ରତାକୁ ମାପିବାର ପ୍ରକ୍ରିୟା ପ୍ରଥମେ ଆରମ୍ଭ ହୋଇଥିଲା ୧୯୫୯ ମସିହାରେ । ପରିବେଶର ଧାରା ବା ପ୍ରକ୍ରିୟାକୁ ମାପିବାର ଏହା ହେଉଛି ସବୁଠୁ ନିର୍ଭରଯୋଗ୍ୟ ଉପାୟ । ଯେବେଠୁ ଏହି ଉପାୟ ମଣିଷ ଉଦ୍ଭାବନ କଲା ସେବେଠୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ସାନ୍ଧ୍ରତା କ୍ରମଶଃ ବୃଦ୍ଧି ପାଇ ଚାଲିଛି ଏବଂ ତା’ସହିତ ପୃଥିବୀର ତାପମାତ୍ରା ମଧ୍ୟ । ୧୯୮୦ ଦଶକରୁ ଏହାର ତୀବ୍ରତା ବେଶୀ ପରିଲକ୍ଷିତ ହେଉଛି । ଚଳିତ ଶତାବ୍ଦୀରେ ଏହାର ତୀବ୍ରତା ଆହୁରି ଅଧିକ ପରିଲକ୍ଷିତ ହେବାରେ ଲାଗିଛି । ଏହି ଧାରା ଯଦି ଚାଲୁ ରହେ, ତେବେ ଏହି ଶତାବ୍ଦୀ ଶେଷ ବେଳକୁ ପୃଥିବୀର ହାରାହାରି ତାପମାତ୍ରା ୨୧.୦୦ ଡ଼ିଗ୍ରୀକୁ ମଧ୍ୟ ଛୁଇଁ ଯାଇପାରେ । ବର୍ତ୍ତମାନ ପୃଥିବୀର ତାପମାତ୍ରା ୧୪.୪୪ ଡିଗ୍ରୀ ସେଲସିୟସରେ ଥିବାବେଳେ ଏ ଧରାର ଅବସ୍ଥା କ’ଣ ହେଉଛି ତାହା ଆମେ ଅଙ୍ଗେ ଲିଭାଇ ସାରିଲେଣି । ଆଉ ଏହା ଯଦି ୨୧ ଡିଗ୍ରୀ ସେଲସିୟସରେ ପହଞ୍ଚେ, କ’ଣ ହେବ ଏ ଧରାର ଅବସ୍ଥା? ଜୀବଜଗତ ସେଥିରେ ତିଷ୍ଠି ରହିବ ତ? ଆଉ ମଣିଷ ସମାଜ କଥା ନ’କହିଲେ ଭଲ!

ଜୀବଜଗତ ଏବଂ ମଣିଷ ସମାଜ ଆଜି ଏକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି । ଏହାର ପ୍ରତିକାର ଆଜି ଅତି ଜରୁରୀ । ପୃଥିବୀର ତାତି ବା ଜ୍ୱରକୁ କମାଇବାର ଅଛି । ତାକୁ ନ କମାଇ ପାରିଲେ, ସମୂହ ବିଲୁପ୍ତି ଆମକୁ ଗର୍ଭସ୍ଥ କରିବା ସୁନିଶ୍ଚିତ ।

(ଲେଖକ ସୁଦର୍ଶନ ଦାସ ଜଣେ ବିଶିଷ୍ଟ ସ୍ତମ୍ଭକାର)

Comments are closed.