Latest Odisha News

BREAKING NEWS

ପୁଲୱାମା ଆକ୍ରମଣ: ସହିଦଙ୍କୁ ଝୁରୁଛି ଗାଁ ମାଟି, ଆଜି ପହଞ୍ଚିବ ମରଶରୀର

ଶ୍ରୀନଗର : ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଗୁରୁବାର ସନ୍ଧ୍ୟାରେ ଘଟିଥିବା ବର୍ବରୋଚିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଓଡିଶାର ୨ ବୀର ଯବାନ ରହିଛନ୍ତି ।

କିଏ ଜାଣିଥିଲା ଏକ ଅଜଣା ଆତଙ୍କବାଦୀର ଘୃଣ୍ୟ ଆକ୍ରମଣରେ ମୁହୂର୍ତ୍ତକ ମଧ୍ୟରେ ୪୪ଟି ପ୍ରାଣ ଚାଲିଯିବ ବୋଲି । ଆତ୍ମଘାତୀ ଆତଙ୍କବାଦୀର ବିସ୍ଫୋରଣରେ ଜୀବନ୍ତ ଥିବା ଶରୀରଗୁଡିକ ଛିନ୍ନ ହୋଇ ଏଣେତେଣେ ପଡିଥିଲା । ଏବେମଧ୍ୟ ଲାଲ ରକ୍ତର ଛିଟାରେ ପୁଲୱାମାର ରାଜରାସ୍ତା ରଞ୍ଜିତ ହୋଇପଡିଛି ।

ଦେଶପାଇଁ ପ୍ରାଣବଳୀ ଦେଇଥିବା ଏହି ୨ ବୀର ଯବାନ ହେଉଛନ୍ତି ଓଡିଶା ମାଟିର ପୁଅ ପ୍ରସନ୍ନ କୁମାର ସାହୁ ଏବଂ ମନୋଜ କୁମାର ବେହେରା।

ମିଳିଥିବା ସୂଚନାନୁଯାୟୀ ଆଜି ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକାପ୍ଟରରେ ଏହି ସହିଦ ଯବାନଙ୍କ ମରଶରୀର ଭୁବନେଶ୍ୱରରେ ଆସି ପହଞ୍ଚିବ । ପରବର୍ତ୍ତୀ ସମୟରେ ଗାର୍ଡ ଅଫ୍ ଅନର୍ ଦିଆଯିବା ସହ ମରଶରୀରକୁ ସେମାନଙ୍କ ଜନ୍ମମାଟିକୁ ଅଣାଯିବ ।

ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁରେ ବୋଲି ଜଣାପଡ଼ିଛି । ସେହିପରି ମନୋଜଙ୍କ ଘର କଟକ ଜିଲ୍ଲା ଅନ୍ତର୍ଗତ ନିଆଳିର ରତନପୁର ଗ୍ରାମ ବୋଲି ସୂଚନା ମିଳିଛି । ଏମାନଙ୍କ ବିୟୋଗରେ ସାରା ଗ୍ରାମରେ ଶୋକାକୁଳ ପରିବେଶ ଖେଳିଯାଇଥିଲା ବେଳେ ସମ୍ପର୍କୀୟଙ୍କ କାନ୍ଦବୋବାଳିରେ ଫାଟି ପଡୁଛି ଗାଁର ମାଟି ।

“ମୋ ବାପା ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି, ତାଙ୍କ ପାଇଁ ମୁଁ ଗର୍ବ ଅନୁଭବ କରୁଛି । କିନ୍ତୁ ମୁଁ ଆଉ କେବେ ତାଙ୍କୁ ଦେଖିପାରିବି ନାହିଁ” ବୋଲି ଅତ୍ୟନ୍ତ କୋହଭରା କଣ୍ଠରେ ସହୀଦ ପ୍ରସନ୍ନ ସାହୁଙ୍କ ଝିଅ ରୁଚି ଗଣମାଧ୍ୟମକୁ କହିଛନ୍ତି ।

ସେହିପରି ଅନ୍ୟ ଜଣେ ସହୀଦ ଯବାନ ମନୋଜ ୨୦୦୬ ମସିହାରୁ ସିଆରପିଏଫରେ ଯୋଗ ଦେଇଥିଲେ । ସେ ୨୦୧୭ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ତାଙ୍କର ବର୍ଷକର ଏକ କୁନି ଝିଅ ମଧ୍ୟ ଅଛି । ଏନେଇ ତାଙ୍କ ଭିଣୋଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ସୂଚନାଯୋଗ୍ୟ ଦେଶର ସୁରକ୍ଷା ଲାଗି ଜମ୍ମୁ ଓ କାଶ୍ମୀରରେ ଏହି ଓଡ଼ିଆ ଯବାନ ହେଡ଼ କନଷ୍ଟେବଳ ଭାବେ କାର‌୍ୟ୍ୟରତ ଥିଲେ । ଗ୍ରାମବାସୀମାନେ ଏହି ଦୁଃଖଦ ଖବର ଶୁଣିବା ପରେ ନିଜର କୋହ ସମ୍ବରଣ କରିପାରୁନାହାନ୍ତି ।

ଜମ୍ମୁ ଓ କାଶ୍ମୀରର ଶ୍ରୀନଗର-ଜମ୍ମୁ ରାଜପଥରେ ୭୦ଟି ବସରେ ପ୍ରାୟ ୨,୫୦୦ ସିଆରପିଏଫ ଯବାନ ଯାଉଥିବା ବେଳେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ଆଦିଲ୍ ଅହମ୍ମଦ ଏକ ବିସ୍ଫୋରକ ଭରା ଗାଡ଼ିରେ ଆସି ଗୋଟିଏ ବସକୁ ଧକ୍କା ଦେଇଥିଲା । ଫଳରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଚାହୁଁଚାହୁଁ ରକ୍ତର ଛିଟାରେ ସାରାରାସ୍ତା ଭିଜି ଯାଇଥିଲା ।

Leave A Reply

Your email address will not be published.