ପୁରୀ: ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ପାଇଁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଆଜି ଚୂଡାନ୍ତ ବୈଠକ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରୁ ପଞ୍ଜିକରଣ କରିଛନ୍ତି ୩୦୫୦ ଜଣ ହବିଷ୍ୟାଳି। ତନ୍ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୧୧, ପୁରୀରୁ ୮୭୫ ଜଣ, ଗଞ୍ଜାମରୁ ୩୮୫ ଜଣ, ନୟାଗଡ଼ରୁ ୩୧୦ ଅନ୍ୟାନ୍ୟ ଜିଲ୍ଲାରୁ ହବିଷ୍ୟାଳି ମାନେ ପଞ୍ଜୀକରଣ କରିଛନ୍ତି। ବୈଠକରେ ହବିଷ୍ୟାଳିଙ୍କ ରହଣି, ପୂଜା, ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ, ଭଜନ କୀର୍ତ୍ତନ, ସୁରକ୍ଷା ଏବଂ ମହାପ୍ରସାଦ ସେବନ ଆଦି ବ୍ୟବସ୍ଥାର ସମୀକ୍ଷା କରାଯାଇଛି।
ଏଥିରେ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। ହବିଷ୍ୟାଳୀ ମାନଙ୍କ ଆଗମନ, ରହଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଏହି ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି। ସମୁଦାୟ ୫ଟି ହବିଷ୍ୟାଳି କେନ୍ଦ୍ର ଯଥା ବୃନ୍ଦାବତି ନିବାସରେ ୧୬୫୦ ଜଣ, ମୋଚିସାହି କଲ୍ୟାଣମଣ୍ଡପରେ ୫୮୦ ଜଣ, ଅକ୍ଷୟପାତ୍ର ଫାଉଣ୍ଡେସନରେ ୪୫୦ ଜଣ, ବଗଲା ଧର୍ମଶାଳାରେ ୧୫୦ ଜଣ ଓ ବାଗେଡିଆ ଧର୍ମଶାଳାରେ ୧୮୦ ଜଣ ହବିଷ୍ୟାଳି ମାଆ ମାନେ ବ୍ରତ ପାଳନ କରିବେ। ମାଆ ମାନଙ୍କର ରହଣି ସମୟରେ ଯେପରି କୌଣସି ଅସୁବିଧା ବା ସମସ୍ୟା ନହୁଏ ସେଥିପ୍ରତି ଦାୟିତ୍ୱରେ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି।
ରହଣି ସମୟରେ ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଆଇନ ଶୃଙ୍ଖଳା, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ଦର୍ଶନ ବ୍ୟବସ୍ଥା, ଦର୍ଶନ ସମୟରେ ଟ୍ରାଫିକ ନିୟନ୍ତ୍ରଣ, ସ୍ୱେଚ୍ଛାସେବୀ ନିୟୋଜନ ଇତ୍ୟାଦିକୁ ସୁନିୟନ୍ତ୍ରିତ କରାଯିବାର ବ୍ୟବସ୍ଥା ହୋଇଛି। ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ନିଷ୍ଠାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ମହାପ୍ରସାଦ ସେବନ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ପ୍ରବଚନ ଓ ଭାଗବତ କଥାମୃତ ଇତ୍ୟାଦିର ମଧ୍ୟ ସୁବନ୍ଦୋବସ୍ତ କରାଯାଇଛି।
Comments are closed.