ପୁରୀ: ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା। ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ୬ ଲକ୍ଷ ଟଙ୍କା ଜବତ କରିଛି ଚନ୍ଦନପୁର ପୋଲିସ। ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି। ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଡିଆଇଜି ସତ୍ୟଜିତ୍ ନାୟକ ଏବଂ ପୁରୀ ଏସପି ପ୍ରତୀକ ସିଂ।
ତେବେ ପୁରୀ ଏସପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ ଗତ ନଭେମ୍ବର ୨୦ ତାରିଖରେ ପୁରୀ ଚନ୍ଦନପୁର ଥାନା ସମଯାଜପୁର ଓଭର ବ୍ରିଜ ନିକଟରେ ରାଧାକାନ୍ତ ଜୁଏଲାରୀ ମାଲିକ ସଞ୍ଜୟ କୁମାର ଦାସ ଲୁଟର ଶିକାର ହୋଇଥିଲେ। ଏକ ଚାରିଚକିଆ ଯାନରେ ସୁନାଗହଣା ସହିତ ଟଙ୍କା ନେଇ ଯାଉଥିବା ସମୟରେ ତିନିଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ସେମାନଙ୍କୁ ଲୁଟିଥିଲେ। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ ହେବା ପରେ ପୁରୀ ଏସପି ପ୍ରତିକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଟିମ୍ ଗଠନ ହୋଇଥିଲା। ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ସୁନାଗହଣା ସହିତ ଲକ୍ଷାଧିକ ଟଙ୍କା ଜବତ କରିଥିଲା। ଅଭିଯୁକ୍ତଙ୍କ ଠାରୁ ପୁରୀ ପୋଲିସ ୧୩୨ ଗ୍ରାମର ସୁନାଗହଣା, ୩୧ କେଜି ରୂପା, ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ ବନ୍ଧୁକ ସହ ଦୁଇଟି ଜୀବନ୍ତ ଗୁଳି, ଗୋଟିଏ କାର, ବାଇକ ଏବଂ ୬ଟି ମୋବାଇଲ ଫୋନ୍ ଜବତ କରିଛି। ଜବତ ସୁନା ଅଳଙ୍କାରର ମୂଲ୍ୟ ୭୮ ଲକ୍ଷ ୯୬ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି।
ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଚନ୍ଦନପୁର ଥାନା ଅନ୍ତର୍ଗତ ଦୋଳଗୋବିନ୍ଦପୁରର ଟୁକୁ ନାୟକ, ପୁରୀ ଭିଆଇପି ରୋଡର ପ୍ରଶାନ୍ତ ପ୍ରଧାନ, ବିଶାଖାପାଟଣାର ଏମ୍ ଗୌତମ ଏବଂ ବାଲେଶ୍ବରର ଶୁଭ୍ରଜିତ ମହାନ୍ତି। ଘଟଣାରେ ୭ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବାବେଳେ ଖୁବଶୀଘ୍ର ପୋଲିସ ଆଉ ତିନିଜଣଙ୍କୁ ଗିରଫ କରିବ ବୋଲି କହିଛନ୍ତି ଏସପି। ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ଟୁକୁ ଏବଂ ପ୍ରଶାନ୍ତ।