ଭୁବନେଶ୍ୱର:ମୋତେ କୌଣସି କଥାରେ କେହି କିଛି ପଚାରୁନାହାନ୍ତି । ମୋର ପରାମର୍ଶ ନେଉ ନାହାନ୍ତି । ସମସ୍ତେ ମୋଠାରୁ ଦୂରତା ବଜାୟ ରଖୁଛନ୍ତି । ପ୍ରଶାସନ ହେଉ ବା ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତ ବା ଗଜପତି । କେହି ମୋତେ ପଚାରୁ ନାହାନ୍ତି । ଏମିତି କହି ନିଜର ଅଭିମାନ ଏବଂ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।
ସୁରଟରେ ଏକ ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେଇ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମନର କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କାର୍ଯ୍ୟରେ ତାଙ୍କୁ ନିମନ୍ତ୍ରଣ କରାଯାଇଛି କି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ପ୍ରଶାସନ ହେଉ ବା ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତ, କେହି ମୋର ପରାମର୍ଶ ନେଉ ନାହାନ୍ତି । ମୋତେ କେହି କିଛି ପଚାରୁ ନାହାନ୍ତି । ମୋତେ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନାହିଁ । ସମସ୍ତେ ମୋଠାରୁ ଦୂରତ୍ୱ ବଜାୟ ରଖୁଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟରେ ମୋର ପରାମର୍ଶ ନେଇ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ କେହି କେହି ମୋତେ କିଛି ପଚାରୁ ନାହାନ୍ତି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ମୋର ସମ୍ପର୍କ କେବଳ ରଥଯାତ୍ରାବେଳେ ରଥ ଉପରକୁ ଯିବାରେ ସୀମିତ ହୋଇ ରହିଛି । ତା ଛଡା ଶ୍ରୀମନ୍ଦିର ସମ୍ପର୍କିତ କୌଣସି ପ୍ରସଙ୍ଗରେ ମୋର ସଂପୃକ୍ତି କେହି ଖୋଜୁ ନାହାନ୍ତି ବୋଲି କହିଛନ୍ତି । ତେଣୁ ମୋତେ ନ ପଚାରିଲେ ଉପରେ ପଡି ‘ମାନ ନ ମାନ, ମେଁ ତେରା ମେହମାନ’ ନ୍ୟାୟରେ କିଛି କହିବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି ।
ସେହିପରି ଚାରିଦ୍ୱାର ଖୋଲିବା ପ୍ରସଙ୍ଗରେ ଜଗତଗୁରୁ କହିଥିଲେ, ଦକ୍ଷିଣଦ୍ୱାର କେବଳ ମୋ ପାଇଁ ଖୋଲାଯାଇପାରେ । ସମସ୍ତଙ୍କ ପାଇଁ ନୁହେଁ । ତେବେ ଏ ସମ୍ପର୍କରେ ସେ କିଛି ଟୀପ୍ପଣୀ ଦେବାକୁ ଚାହିଁ ନ ଥିଲେ । ଅନ୍ୟପକ୍ଷେ ମୁକ୍ତି ମଣ୍ଡପ କାର୍ଯ୍ୟକଳାପକୁ ନେଇ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଥିଲେ ।
ସନାତନ ଧର୍ମର ଗରିମା ବିଷୟରେ କହିବାକୁ ଯାଇ ସେ କହିଥିଲେ, ଉତ୍ପତ୍ତି, ସ୍ଥିତି ଓ ସମୃଦ୍ଧିର ବିଜ୍ଞାନ କେବଳ ସନାତନ ଶାସ୍ତ୍ର ଦ୍ୱାରା ସମ୍ଭବ। ସନାତନ ଧର୍ମକୁ ଗାଳି ଦେଉଥିବା ବ୍ୟକ୍ତି ନିଜେ ଏହାର ଶିକାର ହୁଏ ବୋଲି କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ।
Comments are closed.