Latest Odisha News

ଶ୍ରୀନହରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ

ପୁରୀ: ଶ୍ରୀନହରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ। ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ । ଏଥିପାଇଁ ଶ୍ରୀନହରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରୀତ କରାଯିବା ସହ ମଙ୍ଗଳ କାମନା କରାଯାଇଥିଲା । ଷୋଳ ଶାସନର ବ୍ରାହ୍ମଣ ପୁରୋହିତ ମାନେ ଏକତ୍ରୀତ ହୋଇ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୌଷପୁର୍ଣ୍ଣିମା ଦେବାଭିଷେକ ନୀତି ସମ୍ପର୍ଣ୍ଣ ହେବା ପରେ ପରମ୍ପରା ଅନୁଯାୟୀ ଶ୍ରୀନହରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହୋଇଛି । ପୌଷପୁର୍ଣ୍ଣିମା ପୁଷ୍ୟା ନକ୍ଷତ୍ରରେ ଶ୍ରୀନହରରେ ଗଜପତିଙ୍କର ପରଂପରା ଏବେ ବି ଚାଲୁ ରହିଛି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ପୁରୀ ଗଜପତି ମହାରାଜାଙ୍କ ରାଜାଭିଷେକ ଉତ୍ସବ ପାଳନ କରାଯାଇଥାଏ। ଏହି ପର୍ବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନହରରେ ପାରଂପରିକ ଗଜପତି ପୋଷାକରେ ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ, ଅଭିସିକ୍ତ ଜଳଛିଞ୍ଚନ ହୋଇ ନୂଆ ପଇତା ଲାଗି ହେବା ପରେ ଅଭିଷେକ ଆରମ୍ଭ କରାଯାଇଥିଲା ।

ଅଭିଷେକ ମହୋତ୍ସବ ପରେ ଶୋଳ ଶାସନରୁ ଆସିଥିବା ବ୍ରାହ୍ମଣମାନେ ଗଜପତିଙ୍କୁ ପଇତା ଦାନ କରି ଆର୍ଶୀବାଦ ପ୍ରଦାନ କରିଥିଲେ । ରାଜ ପୁରୋହିତଙ୍କ ସହ ଅନ୍ୟ ବ୍ରାହ୍ମଣ ମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଏହି ଉତ୍ସବରେ ଗଜପତି ମହାରାଜାଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ମଙ୍ଗଳ କାମନା କରିଥିଲେ । ପରେ ପରମ୍ପରା ଅନୁଯାଇ ଗଜପତିଙ୍କୁ ବ୍ରାହ୍ମଣ ମାନେ ବସ୍ତ୍ର, ଫଳ ଆଦି ପ୍ରଦାନ କରିଥିଲେ ।

Comments are closed.