ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ରାଷ୍ଟ୍ରପତି ପୁଟିନ ଗତ ସପ୍ତାହରେ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ନିଜର ମତାମତ ପ୍ରକାଶ କରିଥିଲେ।
ଅଗଷ୍ଟ ୧୫ ତାରିଖରେ ଆଲାସ୍କାରେ ରୁଷ-ୟୁକ୍ରେନ ବିବାଦ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ବନ୍ଦ କରିବା ଉପରେ ଆଲୋଚନା କରିଥିଲେ। ତଥାପି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ଉପରେ କୌଣସି ସହମତି ହୋଇନଥିଲା।
ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ମୋଦି ରୁଷ-ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ସ୍ଥିର ଦୃଷ୍ଟିକୋଣକୁ ପୁନର୍ବାର ଦୋହରାଇଥିଲେ। ସେ କୂଟନୀତି ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତ ଏହି ଦିଗରେ ସମସ୍ତ ପ୍ରୟାସକୁ ସମର୍ଥନ କରେ।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି, ‘ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କ ଫୋନ କଲ୍ ଏବଂ ଆଲାସ୍କାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ସମ୍ପ୍ରତି ସାକ୍ଷାତ ବିଷୟରେ ସୂଚନା ଦେବା ପାଇଁ ଧନ୍ୟବାଦ ଜଣାଉଛି। ଭାରତ ନିରନ୍ତର ଭାବରେ ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ କରିଛି ଏବଂ ଏହି ସମ୍ପର୍କରେ ସମସ୍ତ ପ୍ରୟାସକୁ ସମର୍ଥନ କରୁଛି।
Comments are closed.