Latest Odisha News

BREAKING NEWS

କୁକୁଡ଼ା ଫାର୍ମରେ ଅଜଗରର ତାଣ୍ଡବ: ଏକାସାଙ୍ଗରେ ମାରିଲା ୧୪ କୁକୁଡ଼ା, ଗିଳିଲା ୯

ଅନୁଗୁଳ: କୁକୁଡ଼ା ଫାର୍ମରେ ଅଜଗରର ତାଣ୍ଡବ। ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଧୋକୁଟା ଗାଁର ଜନକ ସାହୁଙ୍କ କୁକୁଡ଼ା ଫାର୍ମରେ ୧୪ଟି କୁକୁଡାଙ୍କୁ ମାରି ଖାଇଛି ଅଜଗର। ସୂଚନା ଅନୁସାରେ ଜନକ ସାହୁ ସବୁଦିନ ପରି ସକାଳୁ ନିଜ କୁକୁଡ଼ା ଫାର୍ମରେ କାମ କରିବା ପାଇଁ ଯାଇ ଦେଖନ୍ତି ତ କୁକୁଡ଼ାମାନେ ରଡି ଛାଡ଼ିବା ସହିତ କିଛି କୁକୁଡା ମରି ପଡି ରହିଛନ୍ତି। ଯେତିକି କୁକୁଡ଼ା ଥିଲେ, ଆହୁରି କିଛି ସଂଖ୍ୟା ତାଙ୍କୁ କମି ଥିବାର ମନେ ହେଲା।

କିଏ କୁକୁଡ଼ା ଚୋରି କରିଛି ବା ମାରିଛି ଖୋଜିବା ପାଇଁ ଚେଷ୍ଟା କରିବା ବେଳେ, ଫାର୍ମର ଗୋଟିଏ କୋଣରେ ଏକ ବଡ ଅଜଗର ସାପ କୁଣ୍ଡଳୀ ମାରି ଶୋଇଥିବା ଦେଖିବାକୁ ପାଇଲେ। ଅଜଗରଟିର ପେଟ ବହୁତ ଫୁଲିଥିବା ଦେଖି ପ୍ରାୟ ୧୦ରୁ ଊର୍ଦ୍ଧ୍ୱ କୁକୁଡ଼ା ଖାଇଥିବା ଅନୁମାନ କରିଥିଲେ ଜନକ। ସ୍ଥାନୀୟ ବନ ବିଭାଗକୁ ଖବର ଦେବା ସହିତ, ଏତେ ସଂଖ୍ୟକ କୁକୁଡ଼ା ମରିବା ଯୋଗୁଁ ତାଙ୍କର ଯେଉଁ କ୍ଷତି ହୋଇଛି, ତା ପାଇଁ ଆର୍ଥିକ କ୍ଷତିପୂରଣ ମଧ୍ୟ ଦାବି କରିଥିଲେ।

କିନ୍ତୁ ଘଟଣାସ୍ଥଳକୁ ଗଲେ କାଳେ କ୍ଷତିପୂରଣ ଟଙ୍କା ପାଇଁ ଗାଁ ଲୋକ ଗଣ୍ଡଗୋଳ କରିବେ, ସେଥିପାଇଁ ଆଉ ବନ ବିଭାଗ କର୍ମଚାରୀ କେହି ବି ସେଇ ସ୍ଥାନକୁ ଆସିଲେ ନାହିଁ। ଆଗରୁ ମଧ୍ୟ ଅନେକ କୁକୁଡ଼ା ଚୋରି ହୋଇଥିଲା, ତେଣୁ ଏତେ ବଡ ସାପକୁ ମାରିବା ପୂର୍ବରୁ କାଳେ ସ୍ନେକ୍ ହେଲ୍ପ ଲାଇନକୁ ଡାକିଲେ ସେମାନେ କ୍ଷତିପୂରଣ ପାଇବାରେ ସହାୟକ ହୋଇ ପାରିବେ, ସେଇ ଭରସାରେ ଜନକ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ। ସ୍ଥାନୀୟ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ସାହୁଙ୍କ ଏବଂ ବିଶ୍ବରଂଜନ ବେହେରା ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସେଠାରେ ପ୍ରବଳ ଜନ ଗହଳି ଦେଖାଦେଇଥିଲା।

ଅଜଗର ସାପ ଟିକୁ କାଳେ ମାରିଦେବେ, ତେଣୁ ବାଧ୍ୟ ହୋଇ ସୁଶାନ୍ତ ଏବଂ ବିଶ୍ବରଂଜନ ଉଦ୍ଧାର କରି ରେଞ୍ଜ ଅଫିସକୁ ନେଇ ଯାଇଥିଲେ। ରେଞ୍ଜର ନିର୍ଦ୍ଦେଶକ୍ରମେ କରତପଟା ବିଟଠାରୁ ଦୁଇ ଜଣ ଫରେଷ୍ଟ ୱାଚର୍ ଭଜମନ ରାଉଳ ଓ ଉତ୍ସବ ସାହୁଙ୍କ ସହିତ ବନ ବିଭାଗର ଗାଡିରେ ନେଇ ଅଜଗର ଟିକୁ ସାତକୋଶିଆ ଅଭୟାରଣ୍ୟରେ ଭିତରେ ଛାଡ଼ି ଦିଆଯାଇଥିଲା। ଅଜଗରଟିର ଲମ୍ବ ପ୍ରାୟ ୧୦ ଫୁଟ ହେବ। ଜଙ୍ଗଲରେ ଛାଡ଼ିବାର ମାତ୍ର ୨/୪ ମିନିଟ ମଧ୍ୟରେ ସାପଟି ୯ ଟି ମଧ୍ୟମ ଧରଣର କୁକୁଡ଼ା ବାନ୍ତି କରିଥିଲା।

Comments are closed.