Latest Odisha News

ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବକୁ ନେଇ ତେଜିଲା ବିବାଦ

ଭୁବନେଶ୍ବର: ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବକୁ ନେଇ ତେଜିଲା ବିବାଦ । ତାଙ୍କ ନାଁରେ ଭିଜିଲାନ୍ସ ମାମଲା ଥାଇ ମଧ୍ୟ ସେ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ କିପରି ହେଲେ ବୋଲି ପଚାରି ଘେରିଛନ୍ତି ବିରୋଧି ବିଜେଡି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏମିତି କିଛି ସଙ୍ଗୀନ ଅଭିଯୋଗ ଆଣି ବିଧାନସଭାର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ।

ତେବେ ବୁଧବାର ସପ୍ତଦଶ ବିଧାନସଭାର ଅଷ୍ଟମ ଦିନରେ ଶୂନ୍ୟକାଳ ଚାଲିଥିବା ବେଳେ ପ୍ରମିଳା କହିଛନ୍ତି, ଜଣେ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ଚାଲିଥିବା ବେଳେ ସେ କିପରି ଜଣେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ? କିଏ ତାଙ୍କୁ ନିଯୁକ୍ତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ଏହାସହିତ ସେ ଏହାବି କହିଛନ୍ତି, ଯେ ତାଙ୍କ ପାଖରେ ତଥ୍ୟ ରହିଛି ଯେ ମନ୍ତ୍ରୀଙ୍କ ନିଜ ଜିଲ୍ଲା ବଲାଙ୍ଗୀର ଅଞ୍ଚଳରେ ଆର ଆଇ ଦୁର୍ନୀତିରେ ଉକ୍ତ ଓଏଏସ ଅଧିକାରୀ ଜଣଙ୍କ ସମ୍ପୃକ୍ତ ଥିଲାବେଳେ ଏବେ ତାଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି । ତେବେ ଏହି ବିଷୟରେ କେମିତି ରାଜସ୍ବ, ସାଧାରଣ ପ୍ରଶାସନ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଜାଣିନାହିଁ? କେମିତି ଏ ବେଆଇନ ନିଯୁକ୍ତି ହେଲା ବୋଲି ମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀକୁ ତାହାର ଉତ୍ତର ରଖିବା ପାଇଁ କହିଛନ୍ତି ପ୍ରମିଳା ।

ତେବେ ଏ ଅଭିଯୋଗରେ କେତେ ସତ୍ୟାସତ୍ୟତା ରହିଛି ସେନେଇ ସଂସଦୀର ବ୍ୟାପାର ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।

Comments are closed.