ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆମେରିକା ଟି୨୦ ଲିଗରେ ଖେଳିବେ । ମେଜର ଲିଗ କ୍ରିକେଟରେ ସେ ସ୍ୟାନ ଫ୍ରାନ୍ସିସ୍କୋ ୟୁନିକନର୍ସ ଟିମ ସହ ଚୁକ୍ତିବଦ୍ଧ ହୋଇଛନ୍ତି । ୨୦୨୪ରେ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ଏହା ପରେ ୨୦୨୫ରେ ସେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଥିଲେ । ଏହି ସିଜନ ତାଙ୍କ ପାଇଁ ସେ ଭଳି ଉତ୍ସାହଜନକ ରହି ନ ଥିଲା । ସେ ଆଇପିଏଲରୁ ମଧ୍ୟ ଅବସର ଘୋଷଣା କରିଥିଲେ । ଏବେ ସେ ଗ୍ଲୋବାଲ ଲିଗ୍ସରେ ଖେଳିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରଥମ ଥର ପାଇଁ ଅଶ୍ୱୀନ ଭାରତ ବାହାରେ କୌଣସି ଲିଗରେ ଖେଳିବେ ।
ପୂର୍ବରୁ ସେ ବିଗ ବ୍ୟାଶ ଲିଗରେ ସିଡନୀ ଥଣ୍ଡର୍ସ ସହ ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ଆଘାତ ସମସ୍ୟା ଯୋଗୁ ଖେଳି ପାରି ନ ଥିଲେ । ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସ ଗେମ୍ସ ପୂର୍ବରୁ ଆମେରିକାରେ କ୍ରିକେଟ ବେଶ ଲୋକପ୍ରିୟ ହେଉଛି । ମେଜର ଲିଗ କ୍ରିକେଟରେ ଆଇପିଏଲର ୬ ମାଲିକ ୩ଟି ଟିମ ସହିତ ଜଡିତ ଅଛନ୍ତି । ସେମାନେ ହେଲେ ଏମଆଇ ନ୍ୟୁୟର୍କ, ଟେକ୍ସାସ ସୁପର କିଙ୍ଗସ ଓ ଏଲଏ ନାଇଟ ରାଇଡର୍ସ । ୧୮ ଜୁନରୁ ଏମଏଲସିର ୪ର୍ଥ ସଂସ୍କରଣ ଆରମ୍ଭ ହେବ । ଟେକ୍ସାସ, ଲସ ଆଞ୍ଜେଲ୍ସ ଓ ଓକଲାଣ୍ଡରେ ମ୍ୟାଚଗୁଡିକ ଖେଳାଯିବ । ଜୁଲାଇ ୧୮ରେ ଫାଇନାଲ ମ୍ୟାଚ ଆୟୋଜିତ ହେବ ।