Latest Odisha News

BREAKING NEWS

ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ପ୍ରତିଯୋଗିତା: କେସିଆର, ମମତାଙ୍କ ପରେ କେଜ୍ରିଓ୍ୱାଲଙ୍କ ପ୍ରୟାସ

ନୂଆଦିଲ୍ଲୀ: ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସ୍ୱତନ୍ତ୍ର ପ୍ଲାନ ନେଇ ତାଙ୍କ ପ୍ରତିପକ୍ଷ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି! ଯାହା ଉପରେ ସାରା ଦେଶର ନଜର ରହିଛି।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଖୁବ୍ ଶୀଘ୍ର ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଛନ୍ତି। ତାଙ୍କର ଏହି ପ୍ରୟାସକୁ ସାଧାରଣ ନିର୍ବାଚନ ପୂର୍ବରୁ ତୃତୀୟ ସାମ୍ମୁଖ୍ୟ ପ୍ରସ୍ତୁତ କରିବା ପାଇଁ ଏକ କସରତ ଭାବେ ବିବେଚନା କରାଯାଉଛି। ଯେତେବେଳେ କି ଅବକାରୀ ଦୁର୍ନୀତି ମାମଲାରେ ଆପର ଅନ୍ୟତମ ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଇଡି ଗିରଫ କରିଛି। ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ପରିସ୍ଥିତି ହୋଇଥିବା ବେଳେ ଅରବିନ୍ଦ କେଜ୍ରିଓ୍ୱାଲ ଆଗାମୀ ନିର୍ବାଚନରେ ଅଣ ବିଜେପି ଓ ଅଣ କଂଗ୍ରେସ ସରକାର ଗଠନ ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ରହିଛି।

ଏନଡି ଟିଭିର ରିପୋର୍ଟ ଅନୁଯାୟୀ, ଅରବିନ୍ଦ କେଜ୍ରିଓ୍ୱାଲ ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଡିନର୍ ପାଇଁ ଡାକିଥିଲେ। ହେଲେ ଏହି ଡିନର ବୈଠକ ସଫଳ ହୋଇପାରିନି। ମାର୍ଚ୍ଚ ୫ ତାରିଖରେ ଏହି ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ୧୮ ତାରିଖ ଡିନର ମିଟିଂ ଧାର୍ଯ୍ୟ ହୋଇଥିଲା। ହେଲେ ୬ଜଣ ମୁଖ୍ୟମନ୍ତ୍ରୀ ଡିନର ମିଟିଂ ପ୍ରୟାସକୁ ଗ୍ରହଣ କରିଥିଲେ ହେଲେ କେହି ଆସିନଥିଲେ। ଏହି ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନଵୀଵ ପଟ୍ଟନାୟକ କିନ୍ତୁ ନାହାନ୍ତି।

ଯେଉଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଅରବିନ୍ଦ କେଜ୍ରିଓ୍ୱାଲ ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଥିଲେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏହି ବୈଠକରେ ଯୋଗଦେବାକୁ ମନା କରିଦେଇଛନ୍ତି। ହେଲେ ବିହାର ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଡିନର ବୈଠକରେ ଯୋଗଦେବାକୁ ରାଜି ହୋଇଥିଲେ ବୋଲି ସୂଚନା ରହିଛି। ହେଲେ ଡିନର ଟେବୁଲରେ ସମସ୍ତେ ଏକାଠି ହୋଇ ପାରିନଥିଲେ । ତେବେ ଏହି ବୈଠକ ସମୁର୍ଣ୍ଣ ବାତିଲ ହୋଇଥିବା ନେଇ କୌଣସି ସୂଚନା ନାହିଁ।

ପୂର୍ବରୁ କେସିଆର ଅଣ-ବିଜେପି ଓ ଅଣ-କଂଗ୍ରେସ ସରକାର ଗଠନ ନେଇ କହିଥିଲେ। କିନ୍ତୁ ଯେତେବେଳେ ଅନ୍ୟ ଦଳମାନେ ଏଭଳି ମେଣ୍ଟ ଗଠନ କରିବା କଥା କହୁଛନ୍ତି, ସେମାନଙ୍କର ପ୍ରତିକ୍ରିୟା ଉତ୍ସାହଜନକ ନଥିବା କୁହାଯାଉଛି। କାରଣ ଏବେ ଆମ୍ ଆଦମୀ ପାର୍ଟି କେବଳ ଦିଲ୍ଲୀରେ ସୀମିତ ନରହି ଅନ୍ୟ ରାଜ୍ୟକୁ ଅଧିକ ଅଧିକ ଧ୍ୟାନ ଦେଉଛି।

ନିକଟରେ କୋଲକାତାରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିବା ପରେ ଜେଡିୟୁ, ସପା ଏବଂ ଟିଏମସି ଏକାଠି ହୋଇ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ଆଉ ଏହି ଅଣ ବିଜେପି, ଅଣ କଂଗ୍ରେସ ମେଣ୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମିଲ କରିବାକୁ ଚର୍ଚ୍ଚା ହେଉଛି। ଚଳିତ ସପ୍ତାହରେ ମମତା ବାନାର୍ଜୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ନବୀନଙ୍କୁ ଭେଟିବେ ବୋଲି ସୂଚନା ରହିଛି। ଯାହା ଉପରେ ସାରା ଦେଶର ନଜର ରହିଛି।

ଅନ୍ୟପଟେ ସାଧାରଣ ନିର୍ବାଚନକୁ ହାତରେ ପାଖାପାଖି ବର୍ଷେ ସମୟ ଥିବା ବେଳେ  ବିରୋଧୀ କଂଗ୍ରେସର ସ୍ଥିତି ଦୁର୍ବଳ ଥିବା ବେଳେ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଅଣ ବିଜେପି, ଅଣ କଂଗ୍ରେସ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.