ବ୍ରହ୍ମପୁର : ଏମକେସିଜିରେ ରାଗିଂ। ଵ୍ରହ୍ମପୁର ସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଏମବିବିଏସ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରାଯାଇଛି। ଏହି ଘଟଣାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି। ୫ଜଣ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ୬ମାସ ପାଇଁ ସମ୍ପୂର୍ଣ ଭାବେ କ୍ୟାମ୍ପସ୍ ପ୍ରବେଶକୁ ମନା କରାଯାଇଛି। ସେମାନେ ହଷ୍ଟେଲରେ ରହିପାରିବେନି। ଏପରିକି ସେମାନେ ଶ୍ରେଣୀଗୃହକୁ ମଧ୍ୟ ଆସିବେ ନାହିଁ। ଏମ୍କେସିଜି ମେଡିକାଲ କଲେଜରେ ଆଣ୍ଟିଂ ରାଗିଂ କମିଟିର ବୈଠକ ପରେ ପ୍ରମାଣ ମିଳିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ଦ୍ବାରା ରାଗିଂ କରିବାକୁ ସିନିୟର୍ ଛାତ୍ରଙ୍କ ମନରେ ଭୟ ରହିବ ବୋଲି ଏମ୍କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ଡା. ସୁଚିତ୍ରା ଦାଶ କହିଛନ୍ତି। ଅନ୍ୟପକ୍ଷରେ ଡିନ୍ଙ୍କ ଲିଖିତ ଏତଲା ପରେ ମାମଲା ରୁଜୁ କରାଯାଇ ପୋଲିସ ଘଟଣାର ତଦନ୍ତ କରିବ ବୋଲି ବ୍ରହ୍ମପୁର ଏସ୍ପି ଡା. ସର୍ଵଣା ବିବେକ ଏମ୍. କହିଛନ୍ତି।
ସୂଚନା ଅନୁଯାୟୀ, ଏମ୍କେସିଜି ମେଡିକାଲ କଲେଜର କିଛି ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଗତ ୨୭ ତାରିଖ ଦିନ କେତେକ ସିନିୟର ଛାତ୍ର ହୋଷ୍ଟେଲ ଭିତରେ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ମାଡ ମାରିଥିଲେ। ରାଗିଂର ଶିକାର ହୋଇଥିବା ଛାତ୍ର ମାନଙ୍କ ଅଭିଭାବକ ମାନେ ଏନେଇ ଦିଲ୍ଲୀ ସ୍ଥିତ ଏନ୍ଏମ୍ସିର ଆଣ୍ଟି ରାଗିଂ ସେଲ୍ ନିକଟରେ ଅଭିଯୋଗ କରିଥିଲେ। ସେହିପରି ଏନ୍ଏମ୍ସି ନିକଟରେ ହୋଇଥିବା ଆଉ ଏକ ଅଭିଯୋଗରେ ୪ଜଣ ଛାତ୍ରଙ୍କ ନାମରେ ରହିଛି। କିନ୍ତୁ ଏହି ଅଭିଯୋଗରେ କୌଣସି ଅଭିଯୋଗକାରୀ ନଥିବାରୁ ସେମାନଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।