ରାଂଚୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଡ ସ୍କୋର କରିବା ସତ୍ୱେ ଭାରତ ୪ ୱିକେଟରେ ପରାଜିତ ହୋଇଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ରୋମାଂଚକ ସ୍ଥିତିକୁ ଆସିଛି । ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି ଓ ରିତୁରାଜ ଗାଏକ୍ୱାଡଙ୍କ ଆକର୍ଷଣୀୟ ଶତକ ସହାୟତାରେ ୩୫୮ ରନ କରିଥିଲା । ଦକ୍ଷିଣ ଆଫ୍ରିକା ୪୯.୨ ଓଭରରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ପରାଜୟ ପରେ ଟିମ ଇଣ୍ଡିଆ ଅଧିନାୟକ କେଏଲ ରାହୁଲ ଟସ ଏବଂ କାକରକୁ ଦୋଷ ଦେଇଛନ୍ତି ।
ଅତ୍ୟଧିକ କାକର ପଡିବା ଯୋଗୁ ବୋଲରଙ୍କୁ ବୋଲିଂ କରିବା ବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଡେଥ ଓଭରରେ ଆମକୁ ଆଉ ୨୦ରୁ ୨୫ ରନର ଆବଶ୍ୟକତା ରହିଥିଲା ବୋଲି ସେ କହିଛନ୍ତି । ଏହି ଅବସରରେ କୋହଲି ଏବଂ ଗାଏକ୍ୱାଡଙ୍କ ପ୍ରଦର୍ଶନକୁ ସେ ପ୍ରଶଂସା କରିଛନ୍ତି । ଶେଷ ଭାଗରେ ଡେଭାଲ୍ଡ ବ୍ରେଭିସ ଓ ମାଥ୍ୟୁ ବ୍ରିଜଟେକ ଆମ ହାତରୁ ମ୍ୟାଚ ଛଡେଇ ନେଲେ ବୋଲି ସେ କହିଛନ୍ତି । ଏବେ ସିରିଜର ଅନ୍ତିମ ମୁକାବିଲା ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି ।