ନୂଆଦିଲ୍ଲୀ: ଟିମ ଇଣ୍ଡିଆ କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି । ତାଙ୍କ ସ୍ଥାନରେ ଗୌତମ ଗମ୍ଭୀର ଏହି ଦାୟିତ୍ୱ ତୁଲାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି କହିଲେ ଭୁଲ ହେବନି । ଗମ୍ଭୀର ଏହି ଦାୟିତ୍ୱ ତୁଲାଇବେ ମାନେ କୋଲକତା ନାଇଟ ରାଇଡର୍ସର ମେଂଟର ପଦ ଖାଲି ରହିବ । ନ୍ୟୁଜ ୧୮ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଇପିଏଲର ଆଗାମୀ ସଂସ୍କରଣ ପାଇଁ କେକେଆର ଡ୍ରାଭିଡଙ୍କୁ ମେଂଟର କରିବା ପାଇଁ ପ୍ରସ୍ତାବ ଦେଇଛି । ଅବଶ୍ୟ ଏ ନେଇ ଡ୍ରାଭିଡ କିମ୍ବା କେକେଆର ପକ୍ଷରୁ କୌଣସି ବୟାରନ ଜାରୀ କରାଯାଇ ନାହିଁ । କେବଳ କେକେଆର ନୁହେଁ ଅନ୍ୟ କେତୋଟି ଫ୍ରାଂଚାଇଜର ମଧ୍ୟ ଡ୍ରାଭିଡଙ୍କୁ ମେଂଟର କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
ପୂର୍ବରୁ ୨୦୧୭ରେ ଦିଲ୍ଲୀ ଡେୟାରଡେଭିଲ୍ସ କୋଚ ଦାୟିତ୍ୱ ମଧ୍ୟ ଡ୍ରାଭିଡ ତୁଲାଇ ସାରିଛନ୍ତି । ୧୯ ବର୍ଷରୁ କମ ଓ ଭାରତ ଏ ଦଳର କୋଚ ଦାୟିତ୍ୱ ମଧ୍ୟ ଡ୍ରାଭିଡ ତୁଲାଇ ସାରିଛନ୍ତି । ଏହା ବ୍ୟତୀତ ସେ ୨୦୨୧ରେ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୂଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଜଣେ ଦକ୍ଷତା ସମ୍ପନ୍ନ ବ୍ୟାଟ୍ସମ୍ୟାନ ଭାବେ ଡ୍ରାଭିଡ ଆନ୍ତର୍ଜାତୀୟ କ୍ରିକେଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପରେ ରନର୍ସଅପ ହୋଇଥିବା ବେଳେ ୨୦୨୪ ଟି୨୦ ବିଶ୍ୱକପରେ ଚାମ୍ପିୟନ ହୋଇଛି । ଏହା ପରଠାରୁ ତାଙ୍କ ଚାହିଦା ବୃଦ୍ଧି ପାଇବାରେ ଲାଗିଛି ।
Comments are closed.