Latest Odisha News

BREAKING NEWS

ଭାରତ ଯୋଡୋ ଯାତ୍ରାକୁ ବର୍ଷେ, ଯେ ପର୍ଯ୍ୟନ୍ତ ଘୃଣାଭାବ ଶେଷ ନହୋଇଛି ଯାତ୍ରା ଜାରି ରହିବ: ରାହୁଲ

ନୂଆଦିଲ୍ଲୀ: ଆଜି ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାର ପ୍ରଥମ ବାର୍ଷିକୀ। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଦେଶରେ ଘୃଣାଭାବ ଶେଷ ହେବା ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଭାରତ ଯୋଡା ଯାତ୍ରା ଆରମ୍ଭ ହେବାର ଏକ ବର୍ଷ ପୂରଣ ହେବା ଉପଲକ୍ଷେ ରାହୁଲ ଗାନ୍ଧୀ କହିଛନ୍ତି ଯେ ‘ଭାରତ ଯୋଡ଼ା ଯାତ୍ରା ଦ୍ୱାରା ଏକତା ଏବଂ ପ୍ରେମ ଦିଗରେ ଏହି ପଦକ୍ଷେପ ଦେଶ ପାଇଁ ଆସନ୍ତାକାଲିର ମୂଳଦୁଆ ପାଲଟିଛି।’

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ରାହୁଲ ଗାନ୍ଧୀ କହିଛନ୍ତି,’ଦେଶରେ ଘୃଣାଭାବ ଶେଷ ନହେବା ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଏହା ମୋର ପ୍ରତିଜ୍ଞା।’ ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ପ୍ରାୟ ୪୦୦୦ କିଲୋମିଟର ପଦଯାତ୍ରା କରିଥିଲେ। ଏହି ସମୟରେ ରାହୁଲ ୧୨ ଟି ସାଧାରଣ ସଭା କରିଥିଲେ। ୧୦୦ ରୁ ଅଧିକ ଛୋଟବଡ଼ ସଭା କରିଥିଲେ ଏବଂ ୧୩ଟି ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଭାରତ ଯୋଡା ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତି ଜଣେ ପରିପକ୍ୱ ନେତାଙ୍କ ଭଳି ପରିଚୟ ସୃଷ୍ଟି ହୋଇଛି। ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କ ରାଜନୈତିକ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠିଥିଲା। କିନ୍ତୁ ଭାରତ ଯୋଡା ଯାତ୍ରା ପରେ ରାହୁଲ ଗାନ୍ଧୀ ଜଣେ ପରିପକ୍ୱ ରାଜନୈତିକ ନେତା ଭାବରେ ଉଭା ହୋଇଛନ୍ତି।

ଅନେକ ସେଲିବ୍ରିଟି ତଥା ବିଶିଷ୍ଟ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ ତାଙ୍କର ଭାରତ ଯୋଡୋ ଯାତ୍ରା ସମୟରେ ଭେଟିଥିଲେ। ସେଥିମଧ୍ୟରୁ କମଲ ହାସନ, ପୂଜା ଭଟ୍ଟ, ରିୟା ସେନ୍, ସ୍ୱରା ଭାସ୍କର, ରଶ୍ମୀ ଦେଶାଇ, ଆକାଂକ୍ଷା ପୁରୀ ଏବଂ ଆମୋଲ ପାଲେକରଙ୍କ ପରି ଚଳଚ୍ଚିତ୍ର ଏବଂ ଟିଭି ସେଲିବ୍ରିଟିମାନେ ଭାରତ ଯୋଡୋ ଯାତ୍ରାରେ ସାମିଲ ଦେଇଥିଲେ। ଏମାନଙ୍କ ବ୍ୟତୀତ ପୂର୍ବତନ ଆର୍ମି ଚିଫ୍ ଜେନେରାଲ୍ (ଅବସରପ୍ରାପ୍ତ) ଦୀପକ କପୁର, ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ୍ (ଅବସରପ୍ରାପ୍ତ) ଏଲ୍ ରାମଦାସ, ବହୁ ଲେଖକ ତଥା ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ଇତ୍ୟାଦି ମଧ୍ୟ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହୋଇଥିଲେ। ରାଜନୈତିକ ଜଗତର ନେତାମାନେ ତଥା ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ପିଡିପି ମୁଖ୍ୟ ମେହବୁବା ମୁଫତି, ଆଦିତ୍ୟ ଠାକରେ, ପ୍ରିୟଙ୍କା ଚତୁର୍ବେଦୀ ଏବଂ ସଞ୍ଜୟ ରାଉତଙ୍କ ପରି ଅନେକ ନେତା ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇଥିଲେ।

Comments are closed.