Latest Odisha News

BREAKING NEWS

ବଦଳିବ ରାହୁଲ ଗାନ୍ଧୀଙ୍କ ଆବାସ ଠିକଣା ! ଭଡା ଘରେ ରହିବେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଶୀଲା ଦୀକ୍ଷିତଙ୍କ ପୁରୁଣା ଆବାସ ହେବ ରାହୁଲ ଗାନ୍ଧୀଙ୍କ ନୂତନ ଠିକଣା। ଖୁବ ଶୀଘ୍ର ନୂତନ ଘରେ ପ୍ରବେଶ କରିବାକୁ ଯାଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୂଚନାନୁସାରେ, କିଛି ଦିନ ହେବ ରାହୁଲ ଗାନ୍ଧୀ ନିଜ ପାଇଁ ଏକ ନୂତନ ଘର ଖୋଜୁଥିଲେ। କଂଗ୍ରେସ ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶୀଲା ଦୀକ୍ଷିତଙ୍କ ପୁରୁଣା ଘରେ ରହିବେ ରାହୁଲ ଗାନ୍ଧୀ। ଏହି ଘରଟି ବି-2 ନିଜାମୁଦ୍ଦିନରେ ରହିଛି। ରାହୁଲ ଗାନ୍ଧୀ ଶୀଘ୍ର ଶୀଲା ଦୀକ୍ଷୀତଙ୍କ ଏହି ପୁରୁଣା ଫ୍ଲାଟକୁ ସିଫ୍ଟ କରିପାରନ୍ତି ବୋଲି କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ ଏହି ଘରେ ରହୁଥିଲେ। କିନ୍ତୁ ସେ ଏବେ ତାଙ୍କ ମାଉସୀ ଘରେ ରହିବାକୁ ଚାହୁଁଛନ୍ତି।

ସୂଚନାନୁସାରେ, ରାହୁଲ ଗାନ୍ଧୀ ଏହି ଘରକୁ ପସନ୍ଦ କରିଛନ୍ତି ଏବଂ ଏହି ଘରେ ସେ ଭଡା ଦେଇ ରହିବେ। ରାଜନୀତିରେ ପ୍ରବେଶ କରିବା ପରେ ଏହା ପ୍ରଥମ ଥର ହେବ ଯେତେବେଳେ ସେ ଏକ ଭଡା ଘରେ ରହିବାକୁ ଯାଉଛନ୍ତି। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ସୂତ୍ରରୁ ଜଣାପଡିଛି ଯେ ରାହୁଲ ଗାନ୍ଧୀଙ୍କ ଦଳ ଏକ ସପ୍ତାହ ପୂର୍ବରୁ ଫ୍ଲାଟ ଦେଖିବାକୁ ଯାଇଥିଲେ ଏବଂ ସେମାନେ ମଧ୍ୟ ଏହାକୁ ପସନ୍ଦ କରିଥିଲେ। ସନ୍ଦୀପ ଦୀକ୍ଷିତ ଅନ୍ୟ ଏକ ଘରକୁ ଯାଉଥିବାରୁ ରାହୁଲ ଗାନ୍ଧୀ ବର୍ତ୍ତମାନ ଏହି ଘରକୁ ସ୍ଥାନାନ୍ତର କରିବେ ବୋଲି କୁହାଯାଉଛି। ତେବେ ଏସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

ସୂଚନା ଥାଉକି ଚଳିତ ବର୍ଷ ଗୁଜୁରାଟ କୋର୍ଟ ମୋଦୀଙ୍କ ଉପନାମ ଉପରେ ଦେଇଥିବା ବୟାନ ପାଇଁ ୨୦୧୯ ରେ ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି, ଏହା ପରେ କଂଗ୍ରେସ ନେତାଙ୍କୁ ଲୋକସଭା ସଦସ୍ୟତା ହରାଇବାକୁ ପଡିଥିଲା। ଲୋକସଭା ସଦସ୍ୟତା ହରାଇବା ପରେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ନୋଟିସ ମିଳିଥିଲା। ଏହା ପରେ ସେ ନିଜ ବଙ୍ଗଳା ଖାଲି କରିଥିଲେ। ବର୍ତ୍ତମାନ ସେ ତାଙ୍କ ମାତା ସୋନିଆ ଗାନ୍ଧୀଙ୍କ ସହ ଜନପଥ ରୋଡସ୍ଥିତ ବାସଭବନରେ ରହୁଛନ୍ତି।

Comments are closed.