Latest Odisha News

ଲୋକସଭାରେ ରାହୁଲ ବନାମ ମୋଦି ପ୍ରଥମ ଲଢେଇ

ନୂଆଦିଲ୍ଲୀ: ନୂଆ ଲୋକସଭାରେ ଜଣେ ନୂଆ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । ପୂର୍ବାପେକ୍ଷା ଅଧିକ ଆକ୍ରମଣାତ୍ମକ, ଅବିଚଳିତ ରାହୁଲ ଗାନ୍ଧୀ ଏନଡିଏ ସରକାରକୁ ଚ୍ୟାଲେଂଜ କରୁଛନ୍ତି ।  ଲୋକସଭାରେ ବିରୋଧୀ ଦଳ ନେତା ଭାବେ ପ୍ରଥମ ଥର ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚାରେ ଭାଗ ନେଇଛନ୍ତି । ଆଉ ପ୍ରଥମ ଭାଷଣରେ ହିଁ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ଲଢୁଆ ରଣନୀତି ଆପଣାଇଛନ୍ତି ରାହୁଲ ଗାନ୍ଧୀ । ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂପର୍କିତ ଧନ୍ୟବାଦ ପ୍ରସ୍ତାବ ଉପରେ ଗୃହରେ ବିତର୍କ ବେଳେ ହିନ୍ଦୁ ଓ ହିନ୍ଦୁତ୍ୱ ପ୍ରସଙ୍ଗ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସିଧାସଳଖ ଟାର୍ଗେଟ କରିଛନ୍ତି ରାଗା । ବିଜେପିକୁ ରାହୁଲଙ୍କ ଷଣ୍ଢୁଆସୀ ଆକ୍ରମଣ ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିରୋଧୀ ଦଳ ନେତା ହେଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରଥମ ଥର ମୁହାଁମୁହିଁ ହୋଇଛନ୍ତି ।

ଗୃହରେ ରାହୁଲ କହିଥିଲେ ଯେ, ଯେଉଁମାନେ ନିଜକୁ ହିନ୍ଦୁ କହୁଛନ୍ତି, ସେମାନେ ହିଂସାକୁ ପ୍ରଶ୍ରୟ ଦେଉଛନ୍ତି । ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ହିନ୍ଦୁ ସମାଜର ପ୍ରତିନିଧିତ୍ୱ କରୁନାହାନ୍ତି । ଆରଏସଏସ ମଧ୍ୟ ସଂପୂର୍ଣ୍ଣ ହିନ୍ଦୁ ସମାଜ ନୁହେଁ ବୋଲି ରାହୁଲ ଜୋର୍ ଦେଇ କହିଥିଲେ । ହିନ୍ଦୁମାନେ କେବେହେଲେ ଭୟ କିମ୍ବା ଘୃଣା ମନୋଭାବ  ପ୍ରଦର୍ଶନ କରନ୍ତି ନାହିଁ । ମାତ୍ର ବିଜେପି ସର୍ବଦା ଭୟ ଓ ଘୃଣା ଭାବ ପ୍ରଦର୍ଶନ କରିଥାଏ । ସଂଖ୍ୟାଲଘୁଙ୍କୁ ଭୟଭୀତ କରି ବିଜେପି ଘୃଣାର ପ୍ରସାର କରୁଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ୨୦ରୁ ଅଧିକ ମାମଲା ରୁଜୁ ହୋଇଥିବା ଅଭିଯୋଗ କରିଥିଲେ ରାହୁଲ୍ ।

ହିନ୍ଦୁ ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ ଜୋରଦାର ଆକ୍ରମଣ ପରେ ଗୃହରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏହାର ଦୃଢ ପ୍ରତିବାଦ କରିଥଲେ । ସଂପୂର୍ଣ୍ଣ ହିନ୍ଦୁ ସମାଜକୁ ହିଂସ୍ର ବୋଲି ଚିତ୍ରଣ କରିବା ଠିକ୍ ନୁହେଁ ବୋଲି କହିବା ସହ ପ୍ରଧାନମନ୍ତ୍ରୀ କଡା ଆପତ୍ତି ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆପତ୍ତି ପରେ ରାହୁଲଙ୍କ ଜବାବ ଥିଲା ଯେ, ବିଜେପି ଓ ଆରଏଏସ ସଂପୂର୍ଣ୍ଣ ହିନ୍ଦୁ ସମାଜକୁ ପ୍ରତିନିଧିତ୍ୱ କରନ୍ତି ନାହିଁ। ଲୋକସଭାରେ ବିରୋଧୀ ଦଳ ନେତା ଭାବେ ରାହୁଲ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଡୁଏଲ୍ ଦେଖିବାକୁ ମିଳିଛି ।

ତେବେ, ରାହୁଲ ହଠାତ ହିନ୍ଦୁ ପ୍ରସଙ୍ଗରେ ବିଜେପିକୁ କାହିଁକି ହଠାତ୍ ଜୋରଦାର ଟାର୍ଗେଟ କଲେ । ଏହା କଂଗ୍ରେସ ତଥା ଇଣ୍ଡିଆ ମେଂଟର ସୁଚିନ୍ତିତ ରଣନୀତିର ଅଂଶବିଶେଷ କି ? କାରଣ ରାମ ଓ ଅଯୋଧ୍ୟା ପ୍ରସଙ୍ଗରେ ବିଜେପିକୁ ଏଥର ଉତ୍ତର ପ୍ରଦେଶରେ ଭୋଟ୍ ମିଳିନି । ଏହାର ଫାଇଦା ଉଠାଇବାକୁ ଚାହୁଁଛି କି କଂଗ୍ରେସ । ନା, ହିନ୍ଦୁ ପ୍ରସଙ୍ଗରେ ରାହୁଲଙ୍କ ଆକ୍ରମଣାତ୍ମକ ଭାଷଣର ଫାଇଦା ନେବାକୁ ଭରପୂର ଉଦ୍ୟମ କରିବ ବିଜେପି । ହିନ୍ଦୁ ବିରୋଧୀ ଭାଷଣ ପାଇଁ ରାହୁଲ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଦାବି କରିଛି । ତାଙ୍କ ଭାଷଣର କିଛି ଅଂଶ ଗୃହର ବିବରଣୀରୁ ବାଦ୍ ଦିଆଯାଇଛି । କିନ୍ତୁ ରାହୁଲ କହିଛନ୍ତି ଯେ, ତାଙ୍କ ଭାଷଣକୁ ବାଦ୍ ଦିଆଯାଇପାରେ । ହେଲେ ସତକୁ କେବେ ବି ଦବା ଯାଇପାରିବ ନାହିଁ ।

ପ୍ରଧାନମନ୍ତ୍ରୀ ଏଥର ଜଣେ ନୂଆ ଆକ୍ରମଣାତ୍ମକ ଓ ଗମ୍ଭୀର ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ସାମନା କରୁଛନ୍ତି । ଲୋକସଭାରେ ଏଥର କଂଗ୍ରେସ ଓ ବିରୋଧୀ ଇଣ୍ଡିଆ ବ୍ଲକର ସଂଖ୍ୟା ମଧ୍ୟ ଅଧିକ । ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ହେବା ପରେ ଅନେକ ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କ ସିଧାସଳଖ ମୁକାବିଲା ରୋଚକ ହେବ ବୋଲି ରାଜନୀତି ସମୀକ୍ଷକମାନେ ସମ୍ଭାବନା ବ୍ୟକ୍ତ କରିଥିଲେ । ଆଗକୁ ବି ଏଭଳି ରୋଚକ ମୁକାବିଲା ଦେଖିବାକୁ ମିଳିବ । କାରଣ ସଂଖ୍ୟା କମ୍ ଥିଲେ ମଧ୍ୟ ବିଜେପି କଂଗ୍ରେସ ତଥା ବିରୋଧୀଙ୍କୁ କୌଣସି ପ୍ରସଙ୍ଗରେ ଆଡଭାନଟେଜ୍  ଦେବାକୁ ଚାହୁନାହିଁ ।

Leave A Reply

Your email address will not be published.